ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି
ପୁରୀ (ସଂକେତ ଟିଭି): ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଦିନରେ ପୁରୀରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ମାଆ ଲକ୍ଷ୍ମୀଙ୍କର ମଧ୍ୟ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ସେ ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୁପ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଷ୍ଟ୍ରପତିଙ୍କ ସହିତ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରୁ ବାହାରି ରାଷ୍ଟ୍ରପତି ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟର ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ।
ସୂଚନା ଅନୁସାରେ, ରାଷ୍ଟ୍ରପତି ନିଜ ଝିଅ, ଜ୍ବାଇଁ, ନାତୁଣୀଙ୍କ ସହ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ହେଲିକ୍ୟାପ୍ଟରରେ ରାଷ୍ଟ୍ରପତି ପୁରୀ ସମଙ୍ଗ ପାର୍କିଂରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ । ପରେ ରାଷ୍ଟ୍ରପତି ଶ୍ରୀମାର୍ଗ ଦେଇ ବଡଦାଣ୍ଡରେ ୧୦ଟା ବେଳେ ପହଞ୍ଚିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଗାଡିରୁ ଓହ୍ଲାଇ ବଡଦାଣ୍ଡରେ ଥିବା ଭକ୍ତ ଓ ଲୋକଙ୍କୁ ସିଧାସଳଖ ଭେଟିଥିଲେ । ପରେ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିରକୁ ଆସିଥିଲେ । ଶ୍ରୀମନ୍ଦିର ପ୍ରଶାସନ, କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଶ୍ରୀମନ୍ଦିରକୁ ନେଇଥିଲେ । ଗର୍ଭଗୃହରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ ।
ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେବା ପାଇଁ ଗସ୍ତ କରିଥିଲେ । ଆଜି ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ନୌସେନା ଦିବସ ଉତ୍ସବରେ ଯୋଗ ଦେଇଥିଲେ ।