ଏସିଏଫଙ୍କ ଘରେ ଭିଜିଲାନ୍ସ ଚଢାଉ, ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା
ଭୁବନେଶ୍ବର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ସମ୍ବଲପୁର ଓ ବରଗଡ଼ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଡିଏସପି, ୧୦ ଇନିସପେକ୍ଟରଙ୍କ ସମେତ ଅନେକ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟର, ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟ, ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଲନ୍ଦାରେ ଥିବା ପୈତୃକ ଘରେ ଓ ସମ୍ବଲପୁର-ଝାରସୁଗୁଡ଼ା ମଝିରେ ଥିବା ମାଲିପାଲିରେ ଚଢ଼ାଉ କରାଯାଉଛି।
ଚଢାଉ ସମୟରେ ତାଙ୍କ ସରକାରୀ ବାସଭବନରୁ ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା ମିଳିଛି। ସେ କାହିଁକି ଏବଂ କେଉଁଠାରୁ ଏତେ ପରିମାଣର ନଗଦ ଟଙ୍କା ଆଣି ଘରେ ରଖିଥିଲେ ସେନେଇ ସେ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି।