ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ
ମୁମ୍ବା୍ଇ (ସଂକେତ ଟିଭି): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କ୍ରମାଗତ ୧୧ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି । ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନ (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।
ପୂର୍ବରୁ ରେପୋ ରେଟ୍ ୬.୫୦% ରହିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଫେବ୍ରୁଆରି ୨୦୨୩ରୁ ରେପୋ ରେଟ୍ ୬.୫୦% ରହିଛି। ରେପୋ ରେଟ୍ ଅପରିବର୍ତ୍ତିତ ରହିବା ଅର୍ଥ ବ୍ୟାଙ୍କ ଋଣର ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। ପୁଞ୍ଜି ନିବେଶକାରୀମାନେ ସୁଧ ହାର ହ୍ରାସ ପାଇବ ବୋଲି ଆଶା କରୁଥିଲେ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱ ସ୍ତରରେ ଆର୍ଥିକ ସ୍ଥିତି ମଜବୁତ ହୋଇଛି। ଯୋଗାଣ ଶୃଙ୍ଖଳ ସ୍ଥିତି ସୁଧୁରିଛି। ଦେଶରେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇଛି। ସହରାଞ୍ଚଳରେ ଚାହିଦା ପ୍ରାୟତ ସ୍ଥିର ରହିଛି। ବ୍ୟାଙ୍କଗୁଡ଼ିକ ଯେପରି ଅଧିକ ଋଣ ଲଗେଇ ପାରିବେ ତଥା ଭାରତୀୟ ମୁଦ୍ରାର ସୁଦୃଢ଼ ହେବ ସେଥିପାଇଁ ପ୍ରବାସୀ ଭାରତୀୟଙ୍କ ଜମା ସୀମା ବୃଦ୍ଧି କରାଯାଇଛି। ଋଣ ଲଗାଇବାକୁ ବ୍ୟାଙ୍କରେ ଅଧିକ ଜମା ଗଚ୍ଛିତ ରଖିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ସିଆରଆର ବା କ୍ୟାସ୍ ରିଜର୍ଭ ରେସିଓ କମାଇ ଦେଇଛି। ପୂର୍ବରୁ ଏହା ୪.୫ ପ୍ରତିଶତ ଥିଲା। ଏବେ ଏହାକୁ ୪ ପ୍ରତିଶତକୁ ଖସାଇ ଦିଆଯାଇଛି। ଏହା ଫଳରେ ଋଣ ଲଗାଇବାକୁ ବ୍ୟାଙ୍କଗୁଡ଼ିକ ନିକଟରେ ୧.୧୬ ଲକ୍ଷ କୋଟି ଟଙ୍କା ଉପଲବ୍ଧ ହେବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।
ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଆରବିଆଇରୁ ଟଙ୍କା ଋଣ ନିଅନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ରେପୋ ରେଟ୍ ବ୍ୟବହାର କରେ। ଯଦି ମୁଦ୍ରାସ୍ଫୀତି ବଢ଼ୁଛି ତେବେ ଆରବିଆଇ ରେପୋ ରେଟ୍ ବଢ଼ାଏ, ଯେଉଁ କାରଣରୁ ବ୍ୟାଙ୍କଗୁଡିକ ନିଜ ଗ୍ରାହକଙ୍କୁ ଅଧିକ ସୁଧରେ ଋଣ ଦିଅନ୍ତି। ଏହା ଦ୍ବାରା ଲୋକମାନେ କମ୍ ଖର୍ଚ୍ଚ କରିବେ ଏବଂ ମୁଦ୍ରାସ୍ଫୀତି ହ୍ରାସ ପାଇବ | ଅପରପକ୍ଷରେ, ଯଦି ମୁଦ୍ରାସ୍ଫୀତି କମେ ତେବେ ଆରବିଆଇ ରେପୋ ରେଟ୍ ହ୍ରାସ କରେ। ଏହା ଦ୍ବାରା ବ୍ୟାଙ୍କଗୁଡିକ କମ ସୁଧରେ ଲୋକଙ୍କୁ ଋଣ ଦିଅନ୍ତି, ଯାହା ଦ୍ବାରା ଲୋକମାନେ ଅଧିକ ଖର୍ଚ୍ଚ କରିବେ ଏବଂ ଅର୍ଥନୀତି ବୃଦ୍ଧି ପାଇବ।