ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ
ଭୁବନେଶ୍ୱର (ସଂକେତ ଟିଭି): ଦକ୍ଷିଣ ବଙ୍ଗୋପସାଗରରେ ଡିସେମ୍ବର ୭ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।
ଆରବ ସାଗର ଓ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ ସର୍କୁଲେସନ ଯୋଗୁ ଏଭଳି ଆଶଙ୍କା କରାଯାଉଛି। ଆଶଙ୍କା କରାଯାଉଛି ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳକୁ ପହଞ୍ଚିବ। ଏହି ଲଘୁଚାପ କାରଣରୁ ଡିସେମ୍ବର ୧୧ ତାରିଖରୁ ତାମିଲନାଡୁର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମଡି ଆକଳନ କରିଛନ୍ତି। ଶୁକ୍ରବାର ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।
୧୦ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁ ମୁହାଁ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପର ପ୍ରଭାବରେ ଡିସେମ୍ବର ୧୧ ଏବଂ ୧୨ରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ।
ଏହି ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୭ରୁ ୯ ତାରିଖ ମେଘୁଆ ପାଗ ରହିବ। ୯ରେ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବ। ୭ରୁ ଦକ୍ଷିଣ ପୂର୍ବ ଆଭ୍ୟନ୍ତରରେ, ୮ରୁ ୯ ଯାଏ ଦକ୍ଷିଣ ପଶ୍ଚିମ ଆଭ୍ୟନ୍ତରରେ ଓ ୯ରୁ ୧୦ ଯାଏ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭ ତାରିଖରେ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ବର୍ଷା ହୋଇପାରେ । ୮ ତାରିଖରେ ଆଭ୍ୟନ୍ତରୀଣ ଓ ଓ ଉତ୍ତର ଓ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।