ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ପାରିତ, କପି କଲେ ୫ ବର୍ଷ ଜେଲ୍
ଭୁବନେଶ୍ୱର (ସଂକେତ ଟିଭି): ବିଭିନ୍ନ ପ୍ରକାର ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତା ରୋକିବା ପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍ରେ କଠୋର ଦଣ୍ଡବିଧାନ ସହ ଜରିମାନା ବ୍ୟବସ୍ଥା ରହିଛି। ଗୃହରେ ଆଜି ଦୀର୍ଘ ସମୟ ଧରି ଏହି ବିଲ୍ ଉପରେ ଉଭୟ ଶାସକ ଓ ବିରୋଧୀ ଦଳ ଆଲୋଚନା କରିଥିଲେ।
ଏହି ଅଧିନିୟମ ଅଧୀନରେ ଅପରାଧ କରି ଯଦି କୌଣସି ବ୍ୟକ୍ତିବିଶେଷ ପ୍ରମାଣିତ ହୁଅନ୍ତି ତେବେ ସେ ଅତି କମରେ ୩ରୁ ୫ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଭୋଗିବେ। ଏପରିକି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଜରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅନୁସାରେ ଦଣ୍ଡିତ ହେବେ।
ଅନ୍ୟପକ୍ଷେ ସେବା ଯୋଗାଣକାରୀ ସଂସ୍ଥା ତ୍ରୁଟି କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ। ଏପରିକି ସେବା ଯୋଗାଣକାରୀଙ୍କଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ ଏବଂ ୪ ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଞ୍ଚାଳନରେ ପ୍ରତିବନ୍ଧକ ଲଗାଯିବ।
ଏପରିକି ଅଧିକାରୀଙ୍କ ସହଯୋଗ, ସହମତିରେ ତ୍ରୁଟି ହେଲେ କଠୋର ଦଣ୍ଡ ବିଧାନ ଲାଗୁ କରାଯିବ। ସମ୍ପୃକ୍ତ ଅଧିକାରୀଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ସହ ଜରିମାନା କରାଯିବ। କୌଣସି ଅନୁଷ୍ଠାନ ସମ୍ପୃକ୍ତ ଥିଲେ ତାହାର ସମ୍ପତ୍ତି ବାଜ୍ୟାପ୍ତ ଓ ଜବତ କରାଯିବ। ବାଜ୍ୟାପ୍ତ ସମ୍ପତ୍ତିରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ଆଦାୟ କରାଯିବ। ସୂଚନା ଯେ, ଜଣେ ଡିଏସ୍ପି ବା ଏସିପି ର଼୍ୟାଙ୍କର ଅଧିକାରୀ ମାମଲାର ତଦନ୍ତ କରିବେ।
ତେବେ ଏହି ବିଧେୟକକୁ ବିରୋଧ କରି ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏହି ବିଲ୍ ଏକ ଦାନ୍ତବିହୀନ ବାଘ ସଦୃଶ ବୋଲି ଅଭିହିତ କରିଥିଲେ। ସରକାର ଆଇନ ଆଣିବା ପାଇଁ ଉଦ୍ୟମ କରିଛନ୍ତି ସତ; କିନ୍ତୁ ଅପରାଧ ଦମନ ଏବଂ ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ଏଥିରେ କିଛି ବ୍ୟବସ୍ଥା ନାହିଁ। ସରକାର ଏତେ ତରବରିଆ ଭାବେ କାହିଁକି ବିଧେୟକ ଆଣୁଛନ୍ତି? ଏହା ଉପରେ ଅଧିକ ତର୍ଜମା କରିବାର ଆବଶ୍ୟକତା ଅଛି। ତେଣୁ ଏହାକୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ତେବେ ବିରୋଧୀଙ୍କ ଅଭିଯୋଗ ଅମୂଳକ ଏବଂ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଆଇନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁକ୍ତି ବାଢ଼ିଥିଲେ।