LatestNews

ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ବାରିପଦା (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ, ବାଦାମପାହାଡ- କେନ୍ଦୁଝରଗଡ ଆଦି ୬ହଜାର ୨୯୪ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ତତସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରର ଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନବନ୍ଦର ଏବଂ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବାଙ୍ଗିରିପୋଷି-ଗୋରୁମହିଷାଣି ନୂଆ ଲାଇନ : ୮୬ କିଲୋମିଟରର ଏହି ନୂଆ ଲାଇନ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ୨୫୪୯ କୋଟି ଟଙ୍କା ବ୍ୟୟରେ ଏହି ଲାଇନ ନିର୍ମାଣ ହେବ । ସେହିପରି ବୁଢ଼ାମରା-ଚାକୁଲିଆ ନୂଆ ଲାଇନ :୬୦ କିଲୋମିଟରର ଏହି ନୂତନ ଲାଇନ ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଏବଂ ଝାଡ଼ଖଣ୍ଡର ସିଂହଭୁମ୍ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ୧୬୩୯ କୋଟି(ଆନୁମାନିକ) ଟଙ୍କାବ୍ୟୟରେ ଏହି ଲାଇନ ନିର୍ମାଣ ହେବ । ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ଲାଇନ :୮୨ କିଲୋମିଟରର ଏହି ନୂଆ ଲାଇନ ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ଏହି ପ୍ରକଳ୍ପ ୨୧୦୬ କୋଟି ଟଙ୍କା ବ୍ୟୟରେ ଏହି ଲାଇନ ନିର୍ମାଣ ହେବ ।

ଏହି ଅବସରରେ ନିଜ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଜିର ଏହି ଦିନରେ ମୟୂରଭଞ୍ଜ ପାଇଁ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ବହୁତ ଖୁସି । ଏହି ୩ ରେଳପଥରେ ଶିଳାନ୍ୟାସ ଫଳରେ ବାଙ୍ଗିରିପୋଷି, ରାଇଙ୍ଗପୁର ସମେତ ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି । ଏହି ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ ହେବ ବୋଲି ଆଶା କରୁଛି । ଏହି ଉନ୍ନତିମୂଳକ ପ୍ରକଳ୍ପ ଫଳରେ ଯାତାୟତ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । ଭାରତୀୟ ଆଦିବାସୀଙ୍କର ଏକ ଗୌରବମୟ ଇତିହାସ ରହିଛି । ଆଦିବାସୀଙ୍କ କଳା, ସଂସ୍କୃତି ଓ ହସ୍ତଶିଳ୍ପର ସ୍ବତନ୍ତ୍ରତା ରହିଛି । ଏହାର ପ୍ରସାରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରପତି ଅଭିଭାଷଣ ରଖି ଆହୁରି କହିଛନ୍ତି, ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ମୟୂରଭଞ୍ଜବାସୀ ।

ଏହି ପ୍ରକଳ୍ପ ଶେଷ ହେଲେ ରାଇରଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳ ବିକାଶର ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିବ ଏବଂ ସ୍ଥାନୀୟ ଅଞ୍ଚଳ ଅର୍ଥନୀତିରେ ଉନ୍ନତୀ କରିବ । ଭାରତ ସରକାରଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡିଶାର ବିକାଶ ଗୁରୁତ୍ବପୂର୍ଣ୍ଣ ହୋଇଛି । ଜନଜାତି ଭାଇଭଉଣୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ବନଧନ ଯୋଜନା କାର୍ଯ୍ୟକାରୀ ହେଉଛି । ତୁମମାନଙ୍କ ଭଲ ପାଇବା ମୋତ ଟାଣିଆଣୁଛି । ମୁଁ ଯେଉଁଠି ଥିଲେ ମୋ ଜନ୍ମମାଟି ପାଇଁ କାମ କରିବି ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି କହିଛନ୍ତି, ମୟୁରଭଞ୍ଜର କଳା ଓ ସଂସ୍କୃତି ମହାନ । ରାଜ୍ୟରେ ଯେଉଁଠି ଖଣି ଅଛି ସେଠି ଶିଳ୍ପ ପ୍ରତିଷ୍ଠା ହେବ । ମୟୂରଭଞ୍ଜରେ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା ହେବ । ମୟୂରଭଞ୍ଜ ଓ କେନ୍ଦୁଝର ବିକାଶରେ ନୂଆ ସ୍ରୋତ ଆସିବ । ରେଳ ପରିବହନ ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏ ଜିଲ୍ଲାରେ ଶିଳ୍ପର ବିକାଶ ହେବା ଦରକାର । ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ଡବଲ ହେଉଛି । ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି ତାହାକୁ ପୂରଣ କରିବି । ଗୋଟିଏ ବି ପ୍ରୋଜେକ୍ଟ ବନ୍ଦ ହେବ ନାହିଁ ।

ସେପଟେ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ଖୁବଶୀଘ୍ର ଦୁରଦର୍ଶନରେ ସାନ୍ତାଳୀ ନ୍ୟୁଜ୍ ପ୍ରସାରିତ ହେବ । ସାନ୍ତାଳି’ ଭାଷାରେ ନ୍ୟୁଜ୍‌ ପଢ଼ା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା । ଆଗକୁ ଖୁବ୍ ଶୀଘ୍ର ଏହି ସ୍ୱପ୍ନ ପୂରଣ ହେବ । ୬ ରୁ ୭ ଦିନରେ ଏହା କରାଯିବ କହିଲେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।