ମର୍ସିଡିଜ୍ କାରରୁ ୨୦ଲକ୍ଷ ଟଙ୍କା ଜବତ ଘଟଣାରେ ୩ ଜଣଙ୍କୁ ଗିରଫ କଲା ସିବିଆଇ
ଭୁବନେଶ୍ୱର (ସଂକେତ ଟିଭି): ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ମର୍ସିଡିଜ୍ କାର୍ ରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ବ୍ରିଜ ଆଣ୍ଡ ରୂପ ଇଣ୍ଡିଆ ଲିମିଟେଡ଼ର ଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆର୍କିଟେକ ସନ୍ତୋଷ ମହାରଣା ଏବଂ ବିଲଡର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାର ଶନିବାର ରାତି ପ୍ରାୟ ୯ଟା ୧୦ରେ ଉକ୍ତ ହୋଟେଲ ସମ୍ମୁଖ ରାସ୍ତାରେ ଓଡି-୦୫-୯୯୯୯ ନମ୍ବର ବିଶିଷ୍ଟ ମର୍ସିଡିଜ୍ କାର୍ରେ ୪ଜଣ ବ୍ୟକ୍ତି ଯାଉଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏକ ସିବିଆଇ ଟିମ୍ ଚଢ଼ାଉ କରିଥିଲା। ଏହାପରେ ଗାଡ଼ିକୁ ଯାଞ୍ଚ କରିବାରୁ ଏକ ବ୍ୟାଗ୍ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା। ଏହି ସମୟରେ କାର୍ରେ ଥିବା ବ୍ୟକ୍ତିଙ୍କ ସହ ସିବିଆଇ ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏନେଇ ସିବିଆଇ ଟିମ୍ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ନୟାପଲ୍ଲୀ ଓ ମୈତ୍ରୀ ବିହାର ପୋଲିସ ପହଞ୍ଚତ୍ ପଶ୍ଚିମବଙ୍ଗରେ ହେରଫେର ଉକ୍ତ ମର୍ସିଡିଜ୍ ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଥାନାକୁ ନେଇଥିଲା। ଏହା ପରେ ଓଡ଼ିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି । ଭୁବନେଶ୍ୱର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହୋଉଛି । ଆଦିତ୍ୟ ଦେବ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସ ଉପରେ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି ।
ଓଡ଼ିଶାର ବିଲ୍ଡର ଜଣକ ପଶ୍ଚିମବଙ୍ଗରେ ଏକ ନିର୍ମାଣ କାମ ଆଣିଥିଲେ। ସେହି କାମରେ ହେରଫେର ନେଇ ୧୫ଦିନ ତଳେ ସିବିଆଇରେ ଅଭିଯୋଗ ହୋଇଥିଲା। ସିବିଆଇ ସୂତ୍ରରୁ ଜଣାପଡ଼ିଥିଲା ଯେ ବ୍ରିଜ୍ ଆଣ୍ଡ ରୁଫ୍ କୋ. ଲିମିଟେଡ୍ କମ୍ପାନୀରେ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ନିକଟରେ ଏକ ମାମଲା ରୁଜୁ ହୋଇଛି । ଯାହା ଫଳରେ ଦିଲ୍ଲୀ, କୋଲକତା ଓ ଓଡ଼ିଶାରେ ରେଡ଼୍ ଜାରି ରହିଛି ।