LatestNews

ଚାଷୀ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି

ବରଗଡ଼ (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଜିଲ୍ଲା ସୋହେଲାରେ ଆୟୋଜିତ ଚାଷୀ ସମାବେଶରେ ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରିଛନ୍ତି । ଧାନ କ୍ବିଣ୍ଟାଲ ପିଛା ୨୩ ଶହ ଟଙ୍କା ଏମ୍‌ଏସ୍‌ପି ଉପରେ ଚାଷୀଙ୍କୁ ୮ ଶହ ଟଙ୍କାର ଇନପୁଟ ସବସିଡି ମିଳିବ । ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ଏହି ଟଙ୍କା ମିଳିଛି।

ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଚାଷୀଙ୍କ ମିଛ ପ୍ରତିଶ୍ରୁତି ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପ୍ରତିଶ୍ରୁତି ରକ୍ଷା କରି ନଥିଲେ। ଆପଣମାନେ ରାଜ୍ୟରେ ବିଜେପି ସରକାରକୁ ଆଣିଥିବାରୁ ଧନ୍ୟବାଦ। ସରକାର ଶପଥ ପାଠ କରିବାର ଏକ ଘଣ୍ଟା ପରେ କ୍ୟାବିନେଟରେ ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯିବାଲାଗି ନିଷ୍ପତ୍ତି ନିଆଯାଇଥିଲା। ଆଉ ଛଅ ମାସ ଭିତରେ ସରକାର ଚାଷୀଙ୍କୁ ଏହି ବୋନସ୍ ପ୍ରଦାନ କରି ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଈରାଶିଷ ଆଚାର୍ଯ୍ୟ, ଅଶ୍ବିନୀ ଷଡ଼ଙ୍ଗୀ ଓ ସନତ ଗଡ଼ତିୟା, ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।