FeaturedLatestNews

ଶିମିଳିପାଳରୁ ଝାଡ଼ଖଣ୍ଡକୁ ଫେରାର୍ ହେଲା ବାଘୁଣୀ ‘ଜିନ୍ନତ’

ବାରିପଦା (ସଂକେତ ଟିଭି): ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜୀନତ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଗତକାଲି(ରବିବାର) ରବିବାର ରାତିରେ ଜୀନତ ବାଙ୍ଗିରିପୋଷି ରେଞ୍ଜ, ବିଶୋଇ ରେଞ୍ଜ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛି । ଯେହେତୁ ଜିନ୍ନତ ବନ୍ୟପ୍ରାଣୀ ହୋଇଥିବାରୁ ତାକୁ ଫେରାଇ ଆଣିବାର କୌଣସି ବ୍ୟବସ୍ଥା ନାହିଁ । ତେବେ ଅନୁଧ୍ୟାନକାରୀ ଟିମ ଜିନ୍ନତର ପଛେ ପଛେ ରହିଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି।

ସୂଚନା ଅନୁସାରେ, ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟ ନେଇ ମହାରାଷ୍ଟ୍ରର ତଡବା ସ୍ଥିତ ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ତିନି ବର୍ଷର ବାଘୁଣୀ ଜୀନତକୁ ଅଣାଯାଇଥିଲା । ୧୫ ନଭେମ୍ବର ସକାଳ ସମୟରେ ଶିମିଳିପାଳର ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଜୀନତକୁ ଛଡାଯାଇଥିଲା । ସେହି ଏନକ୍ଲୋଜର ମଧ୍ୟରେ ବାଘୁଣୀ ଜୀନତ ୩ଟି ବାରହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡାଯାଇଥିଲା । ଶିମିଳିପାଳ କର୍ତ୍ତୃପକ୍ଷ ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରେ ବାଘୁଣୀ ଜୀନତକୁ ଛାଡିଥିଲେ। ତେବେ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରି ଝାଡ଼ଖଣ୍ଡରେ ମହାବଳ ବାଘୁଣୀ ପହଞ୍ଚିଛି।