କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ପରଲୋକ
ବେଙ୍ଗାଲୁରୁ (ସଂକେତ ଟିଭି): ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଏସ ଏମ୍ କ୍ରୀଷ୍ଣାଙ୍କର ପରଲୋକ ଘଟିଛି । ସେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ସକାଳ ୨ଟା ୪୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଧ୍ୟକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ । କ୍ରିଷ୍ଣାଙ୍କ ପରିବାରରେ ତାଙ୍କର ପତ୍ନୀ ପ୍ରେମା ଓ ଦୁଇ ଝିଅ, ସମ୍ଭାବି ଓ ମାଳବିକା ରହିଛନ୍ତି । ଏସ୍.ଏମ୍ କ୍ରିଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି ।
ଏସ ଏମ୍ କ୍ରୀଷ୍ଣା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ । ସେ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲିରେ ପରିଣତ କରିବାର ଶ୍ରେୟ ତାଙ୍କୁ ମିଳିଥିଲା। ୨୦୦୪ରୁ ୨୦୦୮ ଯାଏ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ। ୨୦୨୩ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।