୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ
ଭୁବନେଶ୍ବର(ସଂକେତ ଟିଭି): ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଶେଷ ହୋଇଛି। ଗତମାସ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ହେଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଆଜି ଅନିର୍ଦ୍ଧିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବି ରଖିଛନ୍ତି।
ଏହି ଅଧିବେଶନରେ ବୁଧବାର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ୱାଲଟିୟର ଡିଭିଜନ, ସାମ୍ବାଦିକମାନଙ୍କ ପାଇଁ ବୀମା, କଂପାନିଗୁଡ଼ିକରେ ବିଦ୍ୟୁତ୍ ବିଲ୍ ପ୍ରମୁଖ ସାମିଲ ରହିଛି। ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ବକେୟା ବିଜୁଳି ବିଲ୍ ଦେଉ ନାହାନ୍ତି। ଏହି ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ୍ ଛାଡ଼ କରାଯାଇଛି। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି ଟଙ୍କା, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ଶୀତକାଳୀନ ବିଧାନସଭାର ବୁଧବାର ଦିନ ଗୃହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା ଲିଖିତ ଉତ୍ତରରେ କହିଛନ୍ତି।
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ବିଧାନସଭାରେ ଦାବି କରି କହିଛନ୍ତି, ପାଖାପାଖି ୧୭ଟି ରାଜ୍ୟରେ ପେନ୍ସନ୍ ବ୍ୟବସ୍ଥା ରହିଛି। ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ। ପୂର୍ବରୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ରାଶି ରହିଛି। ସାମ୍ବାଦିକଙ୍କ ପାଇଁ ପେନ୍ସନ୍ ସେବା ଯୋଗାଇ ଦିଆଯାଉ।