ଗିରଫ ପରେ ଜେଲ୍ ଗଲେ ‘ପୁଷ୍ପା ୨: ଦି ରୁଲ୍’ର ଅଭିନେତା ଅଲ୍ଲୁ ଅର୍ଜୁନ
ହାଇଦ୍ରାବାଦ (ସଂକେତ ଟିଭି): ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ଘଟଣାରେ ସାଉଥ୍ ସୁପର୍ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି। ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରୁ ପୋଲିସ ହେପାଜତକୁ ନିଆଯାଇଥିଲା । ତାଙ୍କ ବାପା ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଅଲୁ ଅରବିନ୍ଦ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ଚିକ୍କଡପାଲି ପୋଲିସ ଗିରଫ କରି ଥାନାକୁ ନେଇଥିଲା ।
ସେପଟେ ଗିରଫ ପରେ ଅଲ୍ଲୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଛି । ଗାନ୍ଧୀ ହସ୍ପିଟାଲର ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ତାଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି । ସେପଟେ ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପତ୍ନୀ ତଥା ଅଲ୍ଲୁଙ୍କ ମାଉସୀ ସୁରେଖା କୋନିଡାଲା ପରିବାରକୁ ଭେଟିଛନ୍ତି । ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଛନ୍ତି। ସେପଟେ ଗିରଫ ପରେ ତାଙ୍କୁ ଜେଲ୍ ହୋଇଛି। ଅଲଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ। ନାମପଲ୍ଲୀ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
ସୂଚନାଯୋଗ୍ୟ ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା। ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା।
ଅଭିଯୋଗ ଅନୁଯାୟୀ ଅଲୁ ଅର୍ଜୁନ ସ୍କ୍ରିନିଂ ପାଇଁ ଆସିବେ ବୋଲି ପୋଲିସକୁ ଅବଗତ କରାଯାଇ ନଥିଲା। ଥିଏଟର ମ୍ୟାନେଜମେଣ୍ଟ କିନ୍ତୁ ଏବିଷୟରେ ବିଷୟରେ ଅବଗତ ଥିଲେ। ପୋଲିସ ପାଖରେ ସୂଚନା ଥିଲେ ହୁଏତ ଅଧିକ ସୁରକ୍ଷା ବ୍ୟବସ୍ଥା ସହିତ ଭିଡକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଥାନ୍ତେ। ଏହାବାଦ କେବଳ ମୁଖ୍ୟ ପ୍ରବେଶ ପଥକୁ ଛାଡିଦେଲେ ଥିଏଟର ସେଠାରେ ଦର୍ଶକଙ୍କ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ନଥିଲା। ତେଣୁ ଥିଏଟରରେ ପହଞ୍ଚିଥିବା ବହୁ ଜନସମାଗମ ଏବଂ ସୁରକ୍ଷା ଅଭାବରୁ ଏକ ଦଳାଚକଟା ସ୍ଥିତି ଉପୁଜିଥିଲା।
ତେବେ ଘଟଣା ଘଟିବାର ଦୁଇ ଦିନ ପରେ ଅଭିନେତା ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ ଏବଂ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ।
ଅଭିନେତା ଦୁଃଖୀ ପରିବାରକୁ ଆଶ୍ୱାସନା ଦେଇଥିଲେ ଯେ, ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଭେଟିବେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ଏହା ସହ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି କହିଥିଲେ। ଫିଲ୍ମ ଦେଖିବାକୁ ଗଲା ବେଳେ ଭିଡ଼ ଥିଲେ ଯତ୍ନବାନ ହେବା ପାଇଁ ଅଭିନେତା ନିଜ ପ୍ରଶଂସକଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍ କରିଥିବା ଦେଖାଯାଇଛି।