ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସମନ ଜାରି କଲା ସିବିଆଇ
ଭୁବନେଶ୍ବର (ସଂକେତ ଟିଭି): ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି। ଗତକାଲି ଅର୍ଥାତ ଡିସେମ୍ବର ୧୧ ତାରିଖ ସକାଳ ୧୦ ଟାରେ ସିବିଆଇ ଅଫିସରେ ହାଜର ପାଇଁ ବିଷ୍ଣୁପଦଙ୍କୁ ନୋଟିସ ହୋଇଥିଲା । ହେଲେ ଏନେଇ ଆଇଏଏସ୍ ବିଷ୍ଣୁପଦ ସେଠୀ ମୁହଁ ଖୋଲିନାହାନ୍ତି ।
ଅନ୍ୟପଟେ ଆଇଏଏସ୍ ଶ୍ରୀ ସେଠୀ ବିଭିନ୍ନ ବିଭାଗରେ ବ୍ୟବହାର କରୁଥିବା ଗାଡ଼ିର ଡ୍ରାଇଭରମାନଙ୍କ ନାମ, ଠିକଣା ଓ ମୋବାଇଲ୍ ନମ୍ବର ଦେବାକୁ ସିବିଆଇ ଡିଏସ୍ପି ଅଜିତ୍ କୁମାର ପାଣ୍ଡେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି। ଏଥିପାଇଁ ଶ୍ରୀ ସେଠୀଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସିବିଆଇ ଡିଏସ୍ପି ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।
ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ତେଣୁ ଡ୍ରାଇଭରମାନଙ୍କଠାରୁ ଟେଣ୍ଡର୍ ଫିକ୍ସିଂ ସମ୍ପର୍କରେ କିଛି ଗୁପ୍ତ ରହସ୍ୟ ଖୋଲିବାକୁ ସିବିଆଇ ଯୋଜନା କରୁଛି। ଏହା ମାଧ୍ୟମରେ ସିବିଆଇ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀମାନେ ଟେଣ୍ଡର୍ ଫିକ୍ସିଂରେ ସଂପୃକ୍ତ କି ନାହିଁ, ତାହା ଜାଣିବାକୁ ଉଦ୍ୟମ କରିଥିବା କୁହାଯାଉଛି।
ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ କାର୍ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ହୋଇଥିଲା । ଏହି ଘଟଣାରେ ‘ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀ’ର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ ଓ ନୟାପଲ୍ଲୀସ୍ଥିତ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି। ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ମିଳିବା ପରେ ସିବିଆଇ ଆଜି ବିଷ୍ଣୁପଦ ସେଠୀଙ୍କ ଡ଼୍ରାଇଭରମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଲୋଡ଼ିଛି ।
୧୦ ଲକ୍ଷ ଲାଞ୍ଚ କାରବାରରେ ମଧ୍ୟସ୍ଥ କୁହାଯାଉଥିବା ଆଦିତ୍ୟ ଦେବ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କ କାର୍ଯ୍ୟାଳୟକୁ ସିବିଆଇ ସିଲ୍ କରିଛି। ଦେବଦତ୍ତଙ୍କ ଘରୁ ନଗଦ ଟଙ୍କା ସହ ବହୁ କାଗଜପତ୍ର ମଧ୍ୟ ଠାବ ହୋଇଛି। ଲାଞ୍ଚ କାରବାରର ପର୍ଦ୍ଦାଫାସ୍ ଲାଗି ବହୁଦିନ ହେବ ଏମ୍/ଏସ୍ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ(ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିବା ସିବିଆଇ ଜୟଦେବ ବିହାର ନିକଟ ଏକ ତାରକା ହୋଟେଲ ନିକଟରୁ ତାଙ୍କ ଗାଡ଼ି ଯାଞ୍ଚ କରି ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ଏମ୍/ଏସ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ(ଇଣ୍ଡିଆ) ଲିମିଟେଡ୍ର ଚଞ୍ଚଲ ମୁର୍ଖାଜୀ ଓ ଦୁଇ ବିଲ୍ଡର ସନ୍ତୋଷ କୁମାର ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ ହେଁ ଅଦାଲତ ସେମାନଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।