FeaturedLatestNews

ଟ୍ରେନରୁ ଖସି ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ

ବ୍ରହ୍ମପୁର (ସଂକେତ ଟିଭି): ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନରେ ଟ୍ରେନ୍‌ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟିଛି। ମୃତ ପାଚିକା ସହାୟିକା ଦୁଇଜଣ ହେଉଛନ୍ତି ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼। ସେମାନଙ୍କ ଘର ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଏବଂ ସେମାନେ ଜଗନ୍ନାଥପୁର ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, ଭୁବନେଶ୍ୱର ଯିବା ପାଇଁ ସେମାନେ ଆଜି ସକାଳେ ପଲାସା-କଟକ ଡିଏମ୍‌ୟୁରେ ଚଢ଼ିଥିଲେ। ସେମାନେ ତରତର ହୋଇ ଟ୍ରେନ୍‌ରେ ଚଢ଼ୁଥିବା ବେଳେ ପଡ଼ି ଯାଇଥିଲେ। ପ୍ରଥମେ ଜଣେ ପଡ଼ି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ପଡ଼ି ଯାଇଥିଲେ। ଫଳରେ ଟ୍ରେନ୍‌ରେ କଟି ସେମାନଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା। ଆରପିଏଫ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।