FeaturedGeneralLatest

ଲୋକସଭାରେ ଆଗତ ହେଲା ‘ଏକକ ନିର୍ବାଚନ ବିଲ’

ନୂଆଦିଲ୍ଲୀ (ସଂକେତ ଟିଭି): ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଲୋକସଭାରେ ଆଗତ ହେବା ପାଇଁ ଭୋଟିଂ ହୋଇଛି। ବିଲ୍ ଆଗତ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧ‌ରେ ୧୯୮ ଭୋଟ୍ ପଡିଛି। ଏହା ପରେ ଏହି ବିଲ୍‌କୁ ଉଭୟ ଗୃହର ମିଳିତ କମିଟି(ଜେପିସି) ନିକଟକୁ ପଠାଯାଇଛି।

ବିଲ ଆଗତ ହେବା ମାତ୍ରେ ବିରୋଧୀ ଏହାକୁ ବିରୋଧ କରିଛନ୍ତି । ଚଳିତମାସ ୧୨ ତାରିଖରେ ଏହି ବିଲକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଥିଲା । ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା ଚାଲିଥିବା ବେଳେ ନିମ୍ନସଦନ ଲୋକସଭାରେ ଏହାକୁ ଆଗତ କରାଯାଇଛି । ଏହି ସମ୍ବିଧାନ ସଂସ୍କାରଧର୍ମୀ ବିଲ୍‌କୁ ଯୁଗ୍ନ ସଂସଦୀୟ କମିଟିକୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ୮ ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶରେ ଏହି ବିଧେୟକକୁ ପ୍ରସ୍ତୁତ କରାଯାଇଛି । ଦୀର୍ଘ ଦଶନ୍ଧିରୁ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଥିବା ଏକ ବଡ ମୁଦ୍ଦା ହେଉଛି, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନାରା । ତେବେ ଏହା କାର୍ଯ୍ୟକାରୀ ହେଲେ ବିଶ୍ବର ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନୀ ଢାଞ୍ଚାରେ ଆମୁଳଚୂଳ ପରିବର୍ତ୍ତନ ହେବ । ସାଧାରଣ (ଲୋକସଭା) ନିର୍ବାଚନ ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାଠୀ ହେବ । ବିରୋଧୀ ଏହି ଚର୍ଚ୍ଚିତ ବିଲକୁ ପ୍ରଥମରୁ ବିରୋଧ କରିଆସୁଥିବା ବେଳେ ଶାସକ ବିଜେପି ଏହାକୁ ସମୟର ଆବଶ୍ୟକତା ବୋଲି ଦର୍ଶାଇଛି ।