LatestNews

ହାବିଲଦାର ଓ କନେଷ୍ଟବଳଙ୍କୁ ପୋଷାକ ପାଇଁ ମିଳିବ ୧୦ ହଜାର: ମୁଖ୍ୟମନ୍ତ୍ରୀ

କଟକ (ସଂକେତ ଟିଭି): ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ପାଇଁ ୫ ହଜାର ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୧୦ହଜାର ଟଙ୍କା ମିଳିବ। ଆଜି କଟକରେ ଆୟୋଜିତ ଓଡ଼ିଶା ପୋଲିସ, ଓଏସ୍‌ଏପି ହାବିଲଦାର, କ‌ନେଷ୍ଟବଳ ଓ ସିପାହି ମହାସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି ହାବିଲଦାର, କନେଷ୍ଟବଳ ଓ ସିପାହିମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ। ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ। ଏବେ ମୋଟର ସାଇକଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକଲ୍‌ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟ୍‌ରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ସେହିପରି ରାଜ୍ୟରେ ଅତିରିକ୍ତ ସିଏପିଏଫ୍‌ ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୋଲିସର ତ୍ବରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ଯେଉଁଥିରେ ୬୪୯ ଗୋଟି ଯାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।