ସରିଲା ସୁବର୍ଣ୍ଣରେଖା ବନ୍ଦର ପାଇଁ ଜନଶୁଣାଣି, ଜୋରଦାର ବିରୋଧ କଲା ସୁରକ୍ଷା କମିଟି
ବାଲିଆପାଳ (ଉମାକାନ୍ତ ନାୟକ ): ସରିଲା ସୁବର୍ଣ୍ଣରେଖା ବନ୍ଦର ପାଇଁ ଜନଶୁଣାଣି, ଅପେକ୍ଷା ଫଳାଫଳକୁ । ବନ୍ଦର ବିପକ୍ଷବାଦୀ ଏବଂ ସପକ୍ଷବାଦୀ ଙ୍କ କଥା ଶୁଣିଲା ଜିଲ୍ଲା ପ୍ରଶାସନ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଠାରେ ହେବାକୁ ଯାଉଥିବା ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ପାଇଁ ଆଜି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ ପ୍ରଦୁଷଣ ବିଭାଗ ପକ୍ଷରୁ ବାଲିଆପାଳ ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ 14 ଟି ପଞ୍ଚାୟତ ଲୋକଙ୍କୁ ନେଇ ଏହି ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଉଭୟ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ଙ୍କ ଅଭିଯୋଗ ଅନୁଯାୟୀ ସରକାରଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ପାଇଁ ଚେନ୍ନାଇର କ୍ରିଏଟିଭ ପୋର୍ଟ ପ୍ରାଇଭେଟ ଲିମିଟେଡ୍ କୁ 2008 ମସିହାରେ ଅନୁମତି ମିଳିଥିଲା । ତେବେ ବିଭିନ୍ନ କାରଣ ପାଇଁ ଏହା ଆଗେଇ ପାରି ନଥିଲା । ତେବେ 2018 ମସିହା ରେ ଟାଟା ଷ୍ଟିଲ ଏହି କମ୍ପାନୀର 51℅ ଅଂଶଧନ ଅଧିଗ୍ରହଣ କରିବା ପରେ କାମ ଆଗକୁ ଧିରେଧିରେ ବଢ଼ିଥିଲା। ଏହା ଭିତରେ ପ୍ରକଳ୍ପ ପାଇଁ ଥିବା ପରିବେଶ ମଞ୍ଜୁରୀର ଅବଧି ଶେଷ ହୋଇଯାଇଥିବାରୁ, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଏଥିପାଇଁ ଆଜି ବାଲିଆପାଳ ବ୍ଲକର ଡଗରା ମକର ପଡିଆ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ଏଡ଼ିଏମ ସୁଧାକର ନାୟକ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ମୁଖ୍ୟ ମନ ମୋହନ ମୁର୍ମୁଙ୍କ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ୧୦ ହଜାର ରୁ ଅଧିକ ଲୋକେ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଏହି ପ୍ରସ୍ତାବିତ ବନ୍ଦର ଅନେକ ଲୋକେ ସହଯୋଗ କରୁଥିବା ବେଳେ ଆଉ କିଛି ଲୋକେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ଏହାକୁ ଜୋରଦାର ବିରୋଧ କରିଥିଲେ । ସୁବର୍ଣ୍ଣରେଖା ବନ୍ଦର ହେଲେ ଏଠାରେ ୧୫ ହଜାର ପରିବାର ଙ୍କୁ ବିସ୍ଥାପିତ କରିବା ପାଇଁ ପଡିବ । ପ୍ରାୟ ୬୦ ହଜାର ଲୋକେ ଏଥିରେ ପ୍ରଭାବିତ ହେବେ ବୋଲି ଭିଟାମାଟି ସୁରକ୍ଷା କମିଟି ଅଭିଯୋଗ କରିଛି । ସେଥିପାଇଁ ଏହାକୁ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ।
ବାଲିଆପାଳ ହେଉଛି ଧାନ ପାନ ମିନ ର ଅଞ୍ଚଳ, ଏଠାକାର ଲୋକେ ଏହି ସବୁ ଚାଷରୁ ବାର୍ଷିକ ୫ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ମାତ୍ର ବନ୍ଦର ହେଲେ ଏହି ଅଞ୍ଚଳର ଲୋକେ ଜୀବନ ଜୀବିକା ସହିତ ଚାଷ ଓ ବାସଗୃହ ମଧ୍ୟ ହରାଇ ବିସ୍ଥାପିତ ହେବେ । କମ୍ପାନୀ ପକ୍ଷରୁ ପ୍ରତ୍ୟେକ ପରିବିରରୁ ଜଣକୁ ଚାକିରୀ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ପ୍ରତାରିତ କରିବେ ବୋଲି ଉପକୁଳ ଭିଟାମାଟି ସୁରକ୍ଷା କମିଟି କହିଛନ୍ତି । ୧୧୦୫ ଏକର ପରିମିତ ଏହି ପ୍ରସ୍ତାବିତ ପ୍ରକଳ୍ପରେ ୬୯୨ ଏକର ଜବରଦଖଲ ମୁକ୍ତ ସରକାରୀ ଜମି ରହିଛି ଏବଂ ଭବିଷ୍ୟତରେ ବାକି ଆବଶ୍ୟକ ଜମି ସମୁଦ୍ର ମଧ୍ୟରୁ ପୁନରୁଦ୍ଧାର କରି ବ୍ୟବହାର କରାଯିବାର ଯୋଜନା ରହିଛି। କେବଳ ରେଳ ଲାଇନ ଓ ରାସ୍ତାକୁ ଛାଡିଦେଲେ, ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ କରାଯିବ ନାହିଁ କିମ୍ବା କେହି ଜଣେ ବି ବିସ୍ଥାପିତ ହେବେ ନାହିଁ ବୋଲି କମ୍ପାନୀ କହୁଛି । BOOST ବା (ବିଲ୍ଡ, ଓନ, ଅପରେଟ, ସେୟାର, ଟ୍ରାନ୍ସଫର) ମଡେଲରେ ହେବାକୁ ଥିବା ଏହି ବନ୍ଦରରେ ଓଡ଼ିଶା ସରକାରଙ୍କ ସହ ରାଜସ୍ୱ ବଣ୍ଟନର ବ୍ୟବସ୍ଥା ଅନ୍ତର୍ଭୁକ୍ତ । ଅନ୍ୟପଟେ, ସୁଚାରୁ ରୁପରେ ଜନ ଶୁଣାଣି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ ହେଇଥିଲା ହେଲେ ଆଜି ର ଏହି ଜନଶୁଣାଣି ରେ ସମସ୍ତେ ସମସ୍ତ ଙ୍କ ମତାମତ ରଖିଥିବା ବେଳେ ବନ୍ଦର ସପକ୍ଷ ଏବଂ ବିପକ୍ଷ ରେ ମତାମତ ରଖିଥିଲେ । ଭିଟାମାଟି ସୁରକ୍ଷା ପାଇଁ ଜୀବନ ଦେବାକୁ ବି ପଛେଇବେ ନାହଁ ବି ବୋଲି ଅଞ୍ଚଳବାସୀ କହିଛନ୍ତି ।
ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟକ୍ଷମ ହେଲେ ଅଞ୍ଚଳରେ ସଡ଼କ ଯାତାୟତକୁ ପ୍ରଭାବିତ ନ କରିବା ପାଇଁ ଏଥିରେ ଶତ ପ୍ରତିଶତ ରେଳ ପରିବହନର ବ୍ୟବସ୍ଥା ରହିଛି। ତେବେ ପ୍ରକଳ୍ପ ପାଇଁ ପ୍ରସ୍ତାବିତ ନଦୀ କଡ଼ରେ ରେଳପଥ ଆଖପାଖର ଗାଁ ଗୁଡ଼ିକୁ ବନ୍ୟା ଦାଉରୁ ମଧ୍ୟ ସୁରକ୍ଷା ଦେବାରେ ସହାୟକ ହେବ। ଅନ୍ୟପଟେ, ସୁବର୍ଣରେଖା ନଦୀ ମୁହାଣ ଖୋଲାଯିବା ଯୋଗୁଁ ଜଳ ପ୍ରବାହ ସୁଗମ ହୋଇପାରିବ ଏବଂ ଗାଁ ଗୁଡ଼ିକ ମୃତ୍ତିକା ଅବକ୍ଷୟ ଓ ବନ୍ୟା ଜନିତ ବିପଦରୁ ମଧ୍ୟ ସୁରକ୍ଷା ପାଇ ପାରିବେ।
ବୋଲି ବନ୍ଦର କୁ କିଛି ଲୋକ ସ୍ୱାଗତ ମଧ୍ୟ କରିଛନ୍ତି । ହେଲେ ଆଜି ର ଜନଶୁଣାଣି ପରେ ସରକାର କଣ ନିଷ୍ପତି ନେଉଛନ୍ତି ତା ଉପରେ ସମସ୍ତ ଙ୍କ ନଜର ରହିଛି ।