FeaturedGeneralLatestPolitics

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ପରଲୋକ

ନୂଆଦିଲ୍ଲୀ (ସଂକେତ ଟିଭି): ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ହୃଦ୍‌ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଅବସ୍ଥାରେ ରାତି ୧୨ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଓମ୍‌ ପ୍ରକାଶ ଚୌତାଲା ୧୯୩୫ ମସିହା ଜାନୁଆରି ୧ ତାରିଖରେ ସିର୍ସା ସ୍ଥିତ ଚୌତାଲା ଗ୍ରାମରେ ଜନ୍ମ ହୋଇଥିଲେ। ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍‌ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ୧୯୮୯ରେ ଜନତା ଦଳ, ୧୯୯୦ ଜନତା ଦଳ, ୧୯୯୧ରେ ସମାଜବାଦୀ ଜନତା ପାର୍ଟି, ୧୯୯୯ ରେ ଇନେଲୋ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ଓମ୍‌ପ୍ରକାଶଙ୍କ ପିତା ଥିଲେ ଚୌଧୁରୀ ଦେବୀଲାଲ। ସେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଭାରତର ଉପ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଦେବୀଲାଲଙ୍କ ୫ ସନ୍ତାନ ମଧ୍ୟରୁ ଓମ୍‌ପ୍ରକାଶ ଚୌତାଲା ସବୁଠୁ ବଡ଼ ଥିଲେ। ଦେବୀଲାଲ ଡେପୁଟି ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ବଡ଼ ପୁଅ ଓମ୍‌ପ୍ରକାଶ ଚୌତାଲା ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ। ନିଜ ଜୀବନ କାଳ ମଧ୍ୟରେ ସେ ୫ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।