FeaturedGeneralLatestPolitics

ବିବାଦ ଭିତରେ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦର ଶୀତକାଳୀନ ଅଧିବେଶନ ବିବାଦ ଭିତରେ ଶେଷ ହୋଇଛି । ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭା ମୁଲତବୀ ହୋଇଛି । ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଂଗରେ ଗୃହରେ ହଙ୍ଗାମା ପରେ ଲୋକସଭାକୁ ମୁଲବତୀ କରାଯାଇଛି । ପରେ ରାଜ୍ୟସଭାକୁ ମଧ୍ୟ ରାଜ୍ୟସଭା ସଭାପତି ବନ୍ଦ କରିଛନ୍ତି ।

ଶୁକ୍ରବାର ସକାଳୁ ଲୋକସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଆସି ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ପରେ ବାଚସ୍ପତି ଓମ ବିର୍ଲା କଠୋର ନିଷ୍ପତ୍ତି ନେଇଥିଲେ । ସଂସଦର କୌଣସି ଦ୍ବାର ସମ୍ମୁଖରେ ରାଜନୈତିକ ଦଳମାନେ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ । ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ସଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି କହିଥିଲେ । ଏହା ସହିତ ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖରେ ଶେଷ ହୋଇଛି ।

ଆମ୍ବେଦକର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି। ବିଜୟ ଚୌକରୁ ସଂସଦ ଭବନ ପର୍ଯ୍ୟନ୍ତ ରାହୁଲଙ୍କ ସମର୍ଥନରେ ବିରୋଧୀ ସାଂସଦ ପଦଯାତ୍ରା କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ସାମିଲ ହୋଇନାହାଁନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ସାଂସଦ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି। ସେପଟେ ଏନଡିଏ ସାଂସଦମାନେ ମଧ୍ୟ ରାହୁଲଙ୍କୁ ବିରୋଧ କରି ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି ଶାସକ ଦଳ ସାଂସଦମାନେ। ସେପଟେ ରାଜ୍ୟସଭା ମଧ୍ୟ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।