ଏଣିକି ଫେଲ୍ ହୋଇଥିବା ୫ମ-୮ମ ପିଲା ପାସ୍ ହେବେ ନାହିଁ
ନୂଆଦିଲ୍ଲୀ (ସଂକେତ ଟିଭି): ଏଣିକି ଛାତ୍ରଛାତ୍ରୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହେଲେ ଆଉ ପାସ୍ କରିବେ ନାହିଁ । ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା (ଆରଟିଇ) ନିୟମ, ୨୦୧୦ରେ କେନ୍ଦ୍ର ସରକାର ଏହି ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଏହି ପରୀକ୍ଷାରେ ଫେଲ ହେଲେ ମଧ୍ୟ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ପାରୁଥିଲେ। ତେବେ ପଞ୍ଚମ ଓ ଅଷ୍ଟମରେ ଫେଲ୍ ହେଲେ ୨ ମାସରେ ରିଟେଷ୍ଟ ସୁଯୋଗ ମିଳିବ। ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି। ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ଶିକ୍ଷା ସଚିବ କହିଛନ୍ତି।
୨୦୧୦-୧୧ ବର୍ଷ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷାରେ ଫେଲ ହେବାର ବ୍ୟବସ୍ଥା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହାର ଅର୍ଥ ହେଉଛି ପିଲାମାନଙ୍କର ଫେଲ ସତ୍ତ୍ବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯାଉଥିଲା । କିନ୍ତୁ ପରବର୍ତ୍ତି ସମୟରେ ଦେଖାଗଲା ଯେ, ଶିକ୍ଷାର ସ୍ତର ଧୀରେଧୀରେ ହ୍ରାସ ପାଇବାରେ ଲାଗିଲା। ଯାହା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ପ୍ରଭାବିତ କରିବା ଆରମ୍ଭ ହୋଇଛି। ଦୀର୍ଘ ସମୟ ଧରି ଏହି ବିଷୟରେ ବିଚାର କରିବା ପରେ ନିୟମ ପରିବର୍ତ୍ତନ କରାଯାଇଛି।
ନୂତନ ନିଷ୍ପତ୍ତି ଅନୁଯାୟୀ, ଫେଲ ହୋଇଥିବା ଛାତ୍ରମାନଙ୍କୁ ୨ ମାସ ମଧ୍ୟରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ। ଯଦି ସେ ପୁନର୍ବାର ବିଫଳ ହୁଅନ୍ତି ତେବେ ସେ, ପରବର୍ତ୍ତି ଶ୍ରେଣୀକୁ ଯାଇ ପାରିବେ ନାହିଁ। ସେ ଯେଉଁ ଶ୍ରେଣୀରେ ପଢୁଥିଲେ ସେହି ଶ୍ରେଣୀରେ ପୁନର୍ବାର ଅଧ୍ୟୟନ କରିବାକୁ ପଡିବ। କିନ୍ତୁ ୮ ଶ୍ରେଣୀ ପର୍ଯ୍ୟନ୍ତ ଏଭଳି ପିଲାମାନଙ୍କୁ ସ୍କୁଲରୁ ବହିଷ୍କାର କରାଯିବ ନାହିଁ ।
ଏହି ପରିବର୍ତ୍ତନ କେନ୍ଦ୍ରୀୟ ବିଦ୍ୟାଲୟ, ନବୋଦୟ ବିଦ୍ୟାଲୟ ଏବଂ ସୈନିକ ବିଦ୍ୟାଳୟ ସମେତ ୩୦୦୦ରୁ ଅଧିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ପ୍ରଭାବିତ କରିବ। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବିଦ୍ୟାଳୟ ଶିକ୍ଷା ଏକ ରାଜ୍ୟ ବିଷୟ। ତେଣୁ ରାଜ୍ୟମାନେ ଏ ବାବଦରେ ନିଜସ୍ୱ ନିଷ୍ପତ୍ତି ନେଇପାରିବେ।