EVM ଜାଲିଆତି କରି ବିଜେପି ଓଡିଶାରେ ଶାସନକୁ ଆସିଛି : ବିଜେଡି
ଭୁବନେଶ୍ବର (ସଂକେତ ଟିଭି): ୨୦୨୪ ସାଧାରଣ ନିର୍ବାଚନରେ EVM ଜାଲିଆତି ହୋଇଛି । ବିଜେଡି ନେତା ଅରୁଣ ସାହୁ ଓ ଶର୍ମିଷ୍ଠା ସେଠୀ ପ୍ରେସମିଟ୍ରେ କହିଛନ୍ତି, ଦଳ ପକ୍ଷରୁ ୩୮ ହଜାର ବୁଥ୍ରେ ଜିଲ୍ଲପାଳଙ୍କୁ ଡାଟା ମଗାଯାଇଥିଲା । କିନ୍ତୁ ସେମାନେ ଡାଟା ଦେଲେନାହିଁ । ନିର୍ବାଚନ କମିଶନ ସାର୍ଟିଫାଏଡ଼୍ କପି ମାଗିଲେ କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।
ମତଦାନ ସଂଖ୍ୟାକୁ ନେଇ ପ୍ରିଜାଇଡିଂ ଅଫିସର ଏବଂ ରିଟର୍ଣ୍ଣିଂ ଅଫିସର ଭିନ୍ନଭିନ୍ନ ତଥ୍ୟ ଦେଇଥିଲେ। ପୁଣି କେତେକ ନିର୍ବାଚନମଣ୍ଡଳୀରେ ଯେତେ ଭୋଟ୍ ପଡ଼ିଥିଲା, ଗଣତି ବେଳେ ଏହି ସଂଖ୍ୟା ଆହୁରି ବଢ଼ିଯାଇଥିଲା। ସବୁଠାରୁ ସୁରକ୍ଷିତ ଓ ସ୍ବଚ୍ଛ କୁହାଯାଉଥିବା ଇଭିଏମ୍ରେ ମତଦାନ ସତ୍ତ୍ବେ ଭୋଟ ସଂଖ୍ୟାରେ ଏଭଳି ବ୍ୟବଧାନ କାହିଁକି ଦେଖାଦେଲା ବୋଲି ପ୍ରଶ୍ନ ଉଠାଇଛି ବିଜେଡି।
ବିଜେଡିର ଅଭିଯୋଗ, ନିର୍ବାଚନ ବେଳେ ସନ୍ଧ୍ୟା ୫ଟାରେ କ୍ଲୋଜ୍ ଅଫ୍ ପୋଲ୍ ହୁଏ ଏବଂ ରାତି ୧୧ଟା ୪୫ରେ ଏଣ୍ଡ ଅଫ ପୋଲ ହୁଏ । କିନ୍ତୁ ଏଥର କ୍ଲୋଜ ଅଫ୍ ପୋଲ୍ ପାଇଁ ଦୁଇ ଦିନ କାହିଁକି ସମୟ ନେଲେ ନିର୍ବାଚନ କମିଶନ ବୋଲି ବିଜେଡି ଅଭିଯୋଗ କରିଛି ।
ବିଜେଡି ଅଭିଯୋଗ ବାଢିଛି, ଓଡ଼ିଶାର ଲୋକ କହୁଥିଲେ ନବୀନ ପୁଣି ସରକାର କରିବେ । ଫଳାଫଳ ଆସିବା ପରେ ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନ ଏମିତି କେମିତି ହେଲା ବୋଲି ବିଜେଡି କହିଛି । ଏହା ଓଡ଼ିଶାବାସୀଙ୍କ ମନରେ ଦ୍ବନ୍ଦ୍ବ ଓ ସନ୍ଦେହ ସୃଷ୍ଟି କରିଛି । ଏହାର ସ୍ପଷ୍ଟୀକରଣ ପାଇଁ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟିଛି ବୋଲି ଅରୁଣ ସାହୁ କହିଛନ୍ତି ।
ସେପଟେ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି, ସବୁକ୍ରିୟାର ପ୍ରତିକ୍ରିୟା ଥାଏ । ଏଭଳି ଅଭିଯୋଗର ନିର୍ବାଚନ କମିଶନ ଫୋରମ୍ ନୁହେଁ । ଯଦି ଅନିୟମିତତା ହୋଇଛି ତାହେଲେ କୋର୍ଟକୁ ଯାଆନ୍ତୁ ବୋଲି ବିଜେପି କହିଛି । ନିର୍ବାଚନ ବେଳେ ବିଜେଡି ଶାସନ ଥିଲା । ଯଦି ହେରଫେର ହୋଇଥିବ ତାଙ୍କର ଶାସନ ପ୍ରଶାସନ କରିଥିବେ ଆମର ସେଥିରେ କ’ଣ ଥିଲା ଯେ ଆମେ ହେରଫେର କରିପାରିବୁ ବୋଲି ବିଜେପି ସାଂସଦ ପାଲଟା ପ୍ରଶ୍ନ କରିଛନ୍ତି । ୬ ମାସ ପରେ ବୋଧେ ହଠାତ ବିଜେଡିର ମନେ ପଡୁଛି ଯେ ସେମାନେ ହାରିଗଲେ ବୋଲି । କ’ଣ ଜୁନ୍ ୪ରେ ଜାଣି ପାରିଲେନି କି ଏକଥା । ସେତେବେଳେ ଫର୍ମ ୨୧ – ସିରେ ଦସ୍ତଖତ କରିଦେଲେ କାହିଁକି ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି ।
ଏହି ଜାଲିଆତି ଘଟଣା ସାମ୍ନାକୁ ଆଣିବା ପାଇଁ ୬ ମାସର ସମୟ କାହିଁକି ଲାଗିଲା ବୋଲି ପ୍ରଶ୍ନ କରିବାରୁ ବିଜେଡି କହିଛି ଯେ ନିର୍ବାଚନ ସରିବା ପରେ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଥିଲୁ। ହେଲେ ସେମାନେ ଦେଇ ନ ଥିଲେ। ଏହି ତଥ୍ୟ ପାଇବା ଅଧିକାର ସମସ୍ତଙ୍କର ଅଛି। ବୋଧେ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ନ ଦେବାକୁ। ଆମେ ୬ ମାସ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଛୁ। RTI ରେ ବି ତଥ୍ୟ ଦେଲେନି। ଫର୍ମ-୧୭-ସି ପାର୍ଟ ୱାନ ଫର୍ମରେ ବୁଥରେ ଭୋଟର ଓ ଭୋଟ ସଂଖ୍ୟା ତଥ୍ୟ ତାଳମେଳ ନ ଥିବା ଦେଖିଲୁ। ଗଣତି ସମୟରେ ଫର୍ମ -୨୦ ରେ ପୂରଣ ହେବ ବୁଥରେ କେତେ ଭୋଟର ଓ କେତେ ଭୋଟ ପଡିଛି। ଫର୍ମ-୧୭-ସି ପାର୍ଟ ୱାନ ରେ ଲେଖିଛନ୍ତି ଗୋଟେ ସଂଖ୍ୟା। ହେଲେ କେଉଁଠି ପାଞ୍ଚ ଅଧି । କେଉଁଠି ଜିରୋ।