ଗହଣା ଦୋକାନରୁ ୫ଲକ୍ଷ ନଗଦ ଟଙ୍କା ଓ ୩୦୦ ଗ୍ରାମ ସୁନା ଅଳଙ୍କାର ଲୁଟ୍
ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ବଜାରରେ ଏକ ଗହଣା ଦୋକାନ ଭିତରେ ପଶି ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ। କମର୍ଦ୍ଦା ବଜାର ରେ ଥିବା ମାଳତୀ ଜୁଏଲାର୍ସ ରୁ ଏହି ଲୁଟ ହୋଇଛି ।
ସୂଚନା ଅନୁସାରେ, ଆଜି ସକାଳେ ଦୋକାନୀ ଜଣକ ଦୋକାନ ଖୋଲିବା ପରେ ବାହାରକୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଦୁର୍ବୁତ୍ତ ଦୋକାନ ଭିତରେ ପଶି ଟଙ୍କା ଏବଂ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ନଗଦ ୫ ଲକ୍ଷ ଟଙ୍କା ଏବଂ ୩୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।