FeaturedLatestNewsPolitics

ଆଗାମୀ ୧୦୦ ବର୍ଷ ଯାଏଁ ବିଜେଡି ଓଡ଼ିଶାବାସୀଙ୍କ ସେବା କରିବ: ନବୀନ ପଟ୍ଟନାୟକ

ଭୁବନେଶ୍ବର (ସଂକେତ ଟିଭି): ବିଜେଡି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିଚାଲିବ । ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିଚାଲିବ। ବିଜେଡି ପାଇଁ ଓଡିଶାର ସ୍ୱାର୍ଥ ସର୍ବାଗ୍ରେ ରହିଛି। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

ବିଜେଡି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ । ବିଜେଡି ଉପରେ ଲୋକଙ୍କ ଆସ୍ଥା ରହିଛି । ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶାବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି ବୋଲି ସେ କହିଥିଲେ ।

ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସାରା ଦୁନିଆରେ ଏକ ଶସକ୍ତ ରାଜ୍ୟର ପରିଚୟ ଦେଇଛି । ଓଡ଼ିଶାରେ ଗରିବି କମିବା ସହ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି । ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯ୍ୟୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ ବିତ୍ତୀୟ ନିଅଣ୍ଟ ଭାବେ ଚଳୁଥିବା ରାଜ୍ୟ ଆଜି ବଜେଟ୍ ସରପ୍ଲସ୍ ରାଜ୍ୟ ହୋଇପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା କ୍ରୀଡାର ରାଜଧାନୀର ପରିଚୟ ପାଇଛି ବୋଲି ନବୀନ କହିଛନ୍ତି।