ବିଜେଡି କାହିଁକି ହାରିଲା କାରଣ କହିଲେ ନବୀନ
ଭୁବନେଶ୍ବର (ସଂକେତ ଟିଭି): ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅବିଭାଷଣରେ ଗତ ନିର୍ବାଚନରେ ବିଜେଡି କାହିଁକି ହାରିଲା ତାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ବିଜେପି ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ ଭୋଟ ପାଇଛି । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଏମିତି କହି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ।
ସେ କହିଛନ୍ତି ଯେ ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମ ଠାରୁ କମ ଭୋଟ ପାଇଛି । ଆମର ଭୁଲ ହେଲା ଆମେ ସେମାନଙ୍କ ମିଛର ଠିକ ଭାବରେ ଜବାବ ଦେଇ କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି । କର୍ମୀ ଭାଇ ଭଉଣୀଙ୍କୁ ସାମାଜିକ ମିଡ଼ିଆରେ ସକ୍ରିୟ ରହି ବିଜେପିର ମିଛର ଉଚିତ ଜବାବ ଦେବା ଦରକାର ।
ନିନ୍ଦୁକ ମାନଙ୍କୁ କଡା ଜବାବ ଦେଇ ନବୀନ ପଟ୍ଟନାୟକ କହିଥିଲେ, ୧୯୯୭ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ, ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି । ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜୁ ଜନତା ଦଳ । ଓଡିଶାର ହକ୍ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ । ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ । ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ ।
ବର୍ତ୍ତମାନର ସରକାର ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପନିପରିବା ସବୁଥିରେ ଦର ବୃଦ୍ଧି ଘଟିଛି। ପ୍ରତି ପରିବାର ଆଜି କାନ୍ଦୁଛି । ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା’ ମାନେ ଦୁଃଖରେ ଅଛନ୍ତି । କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର ବୋଲି ନବୀନ କହିଛନ୍ତି।