ମନମୋହନ ସିଂଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ (ସଂକେତ ଟିଭି): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ୟାବିନେଟ ମନମୋହନଙ୍କ ସମ୍ମାନାର୍ଥେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତା କାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ନୂଆଦିଲ୍ଲୀସ୍ଥିତ ଏମ୍ସରେ ଗୁରୁବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ହୋଇଥିଲା। ଶୁକ୍ରବାର ଦିନ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଜ ପ୍ରମୁଖ ପହଞ୍ଚିଥିଲେ।