FeaturedLatestNews

ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି ପାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସେ ଚାକିରି ଜୀବନରୁ ଅବସର ନେଇଥାନ୍ତେ । ମାତ୍ର ରାଜ୍ୟ ସରକାରଙ୍କ ପ୍ରସ୍ତାବକ୍ରମେ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କ ଚାକିରି କାଳକୁ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି । ୨୦୨୫ ଡିସେମ୍ବର ୩୧ ଯାଏଁ ସେ ଚାକିରିରେ ରହିବେ ।

୧୯୯୦ ବ୍ୟାଚ ଓଡିଶା କ୍ୟାଡରର ଆଏଏସ ହେଉଛନ୍ତି ମନୋଜ ଆହୁଜା । ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମନୋଜଙ୍କୁ ଓଡିଶା ଫେରିବାକୁ ଅନୁମତି ଦେଇଥିଲେ । ମୁଖ୍ୟ ଶାସନ ସଚିବ ଭାବେ ସେ ଓଡିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୨୪ ଜୁନ ୨୮ ତାରିଖରେ ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା ।