ହାତରେ କଳା ବ୍ୟାଣ୍ଡ୍ ପିନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳୀ
ମେଲବୋର୍ନ (ସଂକେତ ଟିଭି): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଶୁକ୍ରବାର ଟିମ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ହାତରେ କଳା ବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଆସିଥିଲା। ଏହି ଦୃଶ୍ୟ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିଲା। ପଡ଼ିଆରେ ଖେଳାଳିମାନେ ପିନ୍ଧିଥିବା କଳା ବ୍ୟାଣ୍ଡ ଏହାର ପ୍ରତୀକ ଥିଲା ଯେ ଦଳ କେବଳ ଖେଳ ନୁହେଁ ଦେଶ ପ୍ରତି ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାଏ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ଦୃଢ ବାର୍ତ୍ତା ଦେଇଛି।
ଡକ୍ଟର ମନମୋହନ ସିଂ ୨୬ ଡିସେମ୍ବର ୨୦୨୪ ନୂଆଦିଲ୍ଲୀରେ ୯୨ ବର୍ଷ ବୟସରେ ଗୁରୁବାର ଦେହାନ୍ତ କରିଛନ୍ତି। ସେ ଭାରତର ଦୀର୍ଘତମ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ। ଏହାପୂର୍ବରୁ ୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ସେ ଭାରତର ଅର୍ଥନୈତିକ ସଂସ୍କାରର ମୂଳଦୁଆ ପକାଇଥିଲେ।