ପଞ୍ଚଭୂତରେ ବିଲୀନ ହେଲେ ଡ. ମନମୋହନ ସିଂହ
ନୂଆଦିଲ୍ଲୀ (ସଂକେତ ଟିଭି): ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ପଞ୍ଚଭୂତରେ ଲୀନ ହୋଇଛନ୍ତି। ତିନି ସେନାର ସଲାମି ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ନିଗମବୋଧ ଘାଟରେ ସ୍ବର୍ଗତ ମନମୋହନ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର ଶେଷକୃତ୍ୟ ହୋଇଛି ।
ନୂଆଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ନେତା ସାମିଲ ହୋଇଥିଲେ । ଏଥିସହିତ ଭୁଟାନ ରାଜା ଏବଂ ମରିସସର ବୈଦେଶିକ ମନ୍ତ୍ରୀ ମଧ୍ୟ ତାଙ୍କ ଶେଷ କୃତ୍ୟ ସମୟରେ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ।
ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସକାଳ ସାଢ଼େ ୯ଟାରେ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରରେ ନିଗମ ବୋଧ ଘାଟ ଅଣାଯାଇଥିଲା । ସେଠାରେ ଶେଷ ଥର ପାଇଁ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦର୍ଶନ କରିଥିଲେ ପରିବାର ବର୍ଗ ଏବଂ ଅନେକ ମାନ୍ୟଗଣ ବ୍ୟକ୍ତି। ଏହାପରେ ୩ ସେନାଙ୍କ ପକ୍ଷରୁ ମନମୋହନଙ୍କୁ ସଲାମି ଦିଆଯାଇଥିଲା। ଏହାପରେ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।