FeaturedLatestNewsSports

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର (ସଂକେତ ଟିଭି): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରଣବଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଛନ୍ତି । ଓସିଏର ସାଧାରଣ ପରିଷଦ ବୈଠକରେ ପ୍ରଣବଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ସେ କହିଛନ୍ତି । କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ସଞ୍ଜୟ ସୂଚନା ଦେଇଛନ୍ତି । ଆଗାମୀ ୪୫ ଦିନ ଭିତରେ ନୂତନ ସଭାପତି ନିଯୁକ୍ତି ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି ।

ପ୍ରଣବ ପ୍ରକାଶ ଦାସ ଗତ ୨୦୨୨ ମସିହାରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ । ପ୍ରଣବ ନିର୍ଦ୍ୱନ୍ଦ୍ୱରେ ଓସିଏ ସଭାପତି ନିର୍ବାଚନରେ ଜିତିଥିଲେ । ପୂର୍ବରୁ ଏହି ପଦରେ ସଞ୍ଜୟ ବେହେରା ରହିଥିଲେ । ତେବେ ପ୍ରଣବ ସଭାପତି ଦାୟିତ୍ୱ ନେବାପରେ ଓସିଏର କାର୍ଯ୍ୟ କରିବା ଢାଞ୍ଚାରେ ପରିବର୍ତ୍ତନ ଆସିଥିଲା । ଏହାର ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡ଼ୁଥିବା ମଧ୍ୟ କୁହାଯାଉଥିଲା । ଗତ ଦୁଇ ବର୍ଷରେ ଓଡ଼ିଶା ଟିମ୍ କୌଣସି ଆଖିଦୃଶିଆ ପ୍ରଦର୍ଶନ ମଧ୍ୟ କରିପାରିନଥିଲା । ଫଳରେ ଗତ ଜୁଲାଇ ମାସରେ ପ୍ରଣବଙ୍କ ଇସ୍ତଫା ଦାବି ମଧ୍ୟ କରାଯାଇଥିଲା । ଶେଷରେ ପ୍ରବଣ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦବିରେ ୨ ବର୍ଷ ୨ ମାସ ପର୍ଯ୍ୟନ୍ତ ରହିଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ତେବେ ଶ୍ରୀ ଦାସ ଆଉ ଅଧିକ କିଛି କହି ନାହାନ୍ତି। କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସମ୍ଭବତଃ ଶ୍ରୀ ଦାସ ପଦରୁ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଛି।