FeaturedLatestNews

ବାଲେଶ୍ବର ଜିଲ୍ଲାର ଫସଲ କ୍ଷୟକ୍ଷତି ଆକଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲେଶ୍ବର (ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ନିକଟରେ ଜିଲ୍ଲାରେ ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ବ୍ୟାପକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଗସ୍ତ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ସଦର ବ୍ଲକସ୍ଥିତ ମହାପଦା ଓ ନର୍ସିଙ୍ଗପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସିଧାସଳଖ କୃଷକମାନଙ୍କ ସହିତ ସେମାନଙ୍କ ଫସଲର କ୍ଷୟକ୍ଷତି ବିଷୟରେ ପଚାରି ବୁଝିଥିଲେ। ଏହି ଆଲୋଚନା କାଳରେ ସେ ଚାଷୀମାନଙ୍କ ସମସ୍ୟା ଶୁଣିବା ସହ ଅଦିନିଆ ବର୍ଷା ହେତୁ ସେମାନଙ୍କ କୃଷିଜାତ ଦ୍ରବ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିଥିଲେ।

ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପୟୁକ୍ତ ସହାୟତା ଓ କ୍ଷତିପୂରଣ ସୁନିଶ୍ଚିତ କରିବା ଆମର ପ୍ରାଥମିକତା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅଦିନିଆ ବର୍ଷା ପରିସ୍ଥିତି ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ ଆକଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ ।

କ୍ଷେତ୍ର ପରିଦର୍ଶନ ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପୟୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଫସଲ କ୍ଷୟକ୍ଷତିର ସ୍ୱଚ୍ଛ ଓ ସଠିକ୍ ଆକଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥି ସହିତ ଜିଲ୍ଲାରେ ସୁଭଦ୍ରା ଯୋଜନା, ଧାନ କିଣା ଏବଂ ଅନ୍ୟାନ୍ୟ ଯୋଜନା ର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ପଦ୍ମଲୋଚନ ପଣ୍ଡା, ବିଧାୟକ ସଦର ମାନସ ଦତ୍ତ ଓ ବିଧାୟକ ନୀଳଗିରି ସନ୍ତୋଷ ଖଟୁଆଙ୍କ ସମେତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ସମସ୍ତ ତହସିଲଦାର ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।