CulturalFeaturedLatestNews

ଶ୍ରୀମନ୍ଦିରରେ ଦର୍ଶନ ଲାଗି ପ୍ରବଳ ଭୀଡ, ବ୍ୟାରିକେଟ୍ ଭାଙ୍ଗିଲେ ଭକ୍ତ

ପୁରୀ (ସଂକେତ ଟିଭି): ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ପ୍ରବଳ ଭିଡ ଯୋଗୁଁ ଠେଲାପେଲା ପରିସ୍ଥିତି ସହ ଭକ୍ତ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍‌କୁ ଶ୍ରଦ୍ଧାଳୁ ଭାଙ୍ଗି ଦେଇଛନ୍ତି।

ସୂଚନା ଅନୁସାରେ, ମଧ୍ୟରାତ୍ରି 12 ଟା 30ରେ ଦ୍ଵାର ଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ହୋଇଥିଲା । ପରେ ଭକ୍ତମାନଙ୍କ ପାଇଁ ନବ ବର୍ଷ ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ଵାର ବାଟେ ଶ୍ରୀ ମନ୍ଦିରକୁ ପ୍ରବେଶ କରିଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ପାଇଁ ଆଜି କେବଳ ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା ହୋଇଛି ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 60 ପ୍ଲାଟୁନ ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।