ଆସନ୍ତା ୩ ତାରିଖରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ
ଭୁବନେଶ୍ବର (ସଂକେତ ଟିଭି): ଓଡିଶାର ନୂଆ ରାଜ୍ଯପାଳ ଭାବରେ ଡକ୍ଟର ହରିବାବୁ କମ୍ଭମପତି ଆସନ୍ତା ୩ ତାରିଖରେ ଶପଥ ନେବେ। ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ। ଡକ୍ଟର ହରିବାବୁ କମ୍ଭମପତି ଗତ ଡିସେମ୍ବର ୨୭ ତାରିଖରେ ନୂଆ ରାଜ୍ଯପାଳ ନିଯୁକ୍ତ ହୋଇଥିଲେ । ଓଡ଼ିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ଣ ୩ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।
ହରିବାବୁ କମ୍ଭମପତି ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ । ୨୦୨୧ ନଭେମ୍ବର ୫ରେ ୧୫ ତମ ମିଜୋରାମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା। ଏହାପରେ ରାଷ୍ଟ୍ରପତି ତାଙ୍କୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ।