ଦରଦାମ୍ ବୃଦ୍ଧିକୁ ନେଇ ଆସନ୍ତା ୬ରେ ବିଜେଡ଼ିର ପ୍ରତିବାଦ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ଅହେତୁକ ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ ତାରିଖରେ ବିଜେଡି ଆନ୍ଦୋଳନ କରିବ। ଦରଦାମ୍ ବୃଦ୍ଧିକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବିଜେଡି ଲୋୟର ପିଏମଜିରୁ ଲୋକସଭା ଭବନ ଆଗରେ ବିକ୍ଷୋଭ କରିବ ବୋଲି ବରିଷ୍ଠ ବିଜେଡି ନେତାମାନେ ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି । ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ବିଜେଡ଼ି କହିଛି ।
ସେହିଭଳି ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି, ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା । ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଦରଦାମ୍ ନିୟନ୍ତ୍ରଣ ଦାବିରେ ଆସନ୍ତା ୬ ତାରିଖରେ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯିବ ବୋଲି ପ୍ରତାପ କହିଛନ୍ତି ।
ସେହିପରି ସଞ୍ଜୟ ଦାସ ବର୍ମା ଦରଦାମ୍ ବୃଦ୍ଧି ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି। ଡବଲ ଇଞ୍ଜିନ ସରକାର ଆସିବା ପରେ ଦରଦାମ୍ ହୁ ହୁ ହୋଇ ବଢୁଛି । ଏଥିରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି । ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ବିଜେଡି ଲଢିବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର କମ୍ ଥିବାବେଳେ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଡବଲ ଇଞ୍ଜିନ ସରକାର ଲୋକଙ୍କ ପକେଟକୁ ଲୁଟୁଛି ବୋଲି ସେ କହିଛନ୍ତି।
ଦରଦାମ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ମହିଳା ରୋଷେଇ ଘରକୁ ଗଲେ ଡବଲ ଇଞ୍ଜିନ ସରକାର କଥା ମନେ ପକାଉଛି । ସାଧାରଣ ଲୋକଙ୍କୁ ସରକାର ଶୋଷଣ କରୁଛନ୍ତି । ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଅନ୍ତି। ହେଲେ ଡବଲ ଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତି ନିଘା ନାହିଁ । ଯଦି ସରକାର ଏହାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଜିଲ୍ଲା ସ୍ତରରେ ଆନ୍ଦୋଳନ ହେବ ବୋଲି ପ୍ରମିଳା କହିଛନ୍ତି।
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, କଥା ଯାହା ବିଜେପି କହିଥିଲା ତାହାକୁ ରକ୍ଷା କରୁ। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରକୁ ଆସିଲା । ଦରଦାମକୁ ନିୟନ୍ତ୍ରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପେଟ୍ରୋଲ ଓ ଡିଜେଲ ଭାଟ କମାନ୍ତୁ । ଦରଦାମ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ। ଲୋକଙ୍କ ସଞ୍ଚୟ କମ୍ ହୋଇଛି । ଏହା ବିରୋଧରେ ବିଜେଡି ଜୋରଦାର ଆନ୍ଦୋଳନ କରିବ ବୋଲି ଚାନ୍ଦବାଲି ବିଧାୟକ ବ୍ୟୋମକେଶ କହିଛନ୍ତି।