ଶପଥ ନେଲେ ନୂଆ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତି
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ଡକ୍ଟର ହରି ବାବୁ କମ୍ଭମ୍ପତି। ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ରାଜ୍ୟପାଳଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।
ଗତକାଲି ଅପରାହ୍ଣରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହରିବାବୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ରାଜଭବନ ପକ୍ଷରୁ ଗାର୍ଡ-ଅଫ୍-ଅନର୍ ପ୍ରଦାନ କରାଯିବା ପରେ ରାଜ୍ୟପାଳ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମପତି ବାଟମଙ୍ଗଳା ଓ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।
ଡକ୍ଟର ହରି ବାବୁ କମ୍ଭମପତି ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ। ସେ ୧୯୫୩ ମସିହା ଜୁନ ୧୫ରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମଗ୍ରହଣ କରିଥିଲେ । ଆନ୍ଧ୍ରପ୍ରଦେଶ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଣ୍ଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ ବର୍ଷ ଧରି ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ଡାକ୍ଟର ହରିବାବୁ କମ୍ଭମପତିଙ୍କ ରାଜନୈତିକ କ୍ୟାରିଅର ବେଶ ଲମ୍ବା । ଛାତ୍ର ରାଜନୀତିରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଛାତ୍ର ଜୀବନରେ ସେ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇ ଗିରଫ ହୋଇଥିଲେ । ସେଥିପାଇଁ ତାଙ୍କୁ ୬ ମାସ ଜେଲରେ ରହିବାକୁ ପଡିଥିଲା । ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ସେହିପରି ସେ ଆନ୍ଧ୍ରପ୍ରଦେଶର ରାଜ୍ୟ ବିଜେପି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।