ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍ ପାଣ୍ଠି (SDRF)ରୁ ଏହି କ୍ଷତିପୂରଣ ମିଳିବ। ୬,୬୬, ୭୦୦ ଚାଷୀଙ୍କ କ୍ଷତି ହୋଇଛି। ୨୨୪୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତ ଚାଷ କ୍ଷତି ହୋଇଛି। ସରକାର ରିଲିଫ ଫଣ୍ଡରୁ ୨୯୧ କୋଟିର ୫୯ ଲକ୍ଷ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଏହି ସୁବିଧା ମିଳିବ ।
ନିକଟରେ ହୋଇଥିବା ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ୨ ଲକ୍ଷ ୨୬ ହଜାର ହେକ୍ଟର ଫସଲ କ୍ଷତି ହୋଇଛି। ଯେଉଁ ଚାଷୀମାନେ ଫସଲ ବୀମାଭୁକ୍ତ ହୋଇନାହାନ୍ତି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୨୯୧.୫୯ କୋଟି ଟଙ୍କାର ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।