ଆସନ୍ତା ୮ରୁ ପ୍ରବାସୀ ଭାରତୀୟ ଦିବସ, ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ। ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏ ନେଇ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ପ୍ରଭାତୀ କହିଛନ୍ତି, ୧୦ ତାରିଖରେ ଦେଶର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ଵରରେ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ସବୁ ବିଭାଗଙ୍କ ସହଯୋଗରେ ପ୍ରସ୍ତୁତି ଚାଲିଛି । ଏହି ସମୟରେ ଭୁବନେଶ୍ବରରେ ପଥଉତ୍ସବ ଚାଲିବ । ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ । ମୁକ୍ତେଶ୍ଵର ଫେଷ୍ଟିଭାଲ ଠୁ ଆରମ୍ଭ କରି ଯାହା ଯାହା ଉତ୍ସବ ଅଛି, ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତି କରାଯାଇଛି । ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍, ଅଥବା ପକ୍ଷୀ ଉତ୍ସବ ହେଉ, ସବୁ କିଛି ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ବୁଝାଇବା ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହିପାରୁଥିବା ଗାଇଡ୍ ରହିବେ । ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେ ହୋଟେଲର ବ୍ୟବସ୍ଥା, ହୋଟେଲର ସୁରକ୍ଷା ବ୍ୟବସ୍ଥା, ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ୍ ଡେକର ଗାଡ଼ିରେ ବୁଲିବେ ତାହା ସୁନିଶ୍ଚିତ କରାଯାଇଛି ।
ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଥିଲେ । କିଛି ପ୍ରବାସୀ ଭାରତୀୟ ଓଡ଼ିଆ ଲୋକଙ୍କ ଘରେ ହୋମ୍ ଷ୍ଟେ’ରେ ରହିବେ । ଓଡ଼ିଆ ଘରର ଖାଦ୍ୟ ଖାଇବେ ବୋଲି ପ୍ରଭାତୀ କହିଛନ୍ତି ।
ସେପଟେ ଅତିଥିମାନଙ୍କ ସୁରକ୍ଷା ଓ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ପୋଲିସ ଡ଼ିଜି ୱାଇ.ବି.ଖୁରାନିଆ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୬୫୦ ବରିଷ୍ଠ ପୁଲିସ ଅଧିକାରୀ ଦାୟିତ୍ୱରେ ରହିବେ। ସେହିପରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମଧ୍ୟ ସଜାଗ ରହିବେ।