ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଆଇନମନ୍ତ୍ରୀ
ପୁରୀ (ସଂକେତ ଟିଭି): ଆଜି ଭୋର ସମୟରେ ପୁରୀ ଶ୍ରୀ ମନ୍ଦିର ଚୁଡ଼ାର ଉପରି ଭାଗରେ ଅଜଣା ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା। ନୋ ଫ୍ଲାଇଙ୍ଗ ଜୋନ୍ରେ କିଏ ଓ କଣ ପାଇଁ ଉଡ଼ାଇଛି ଡ୍ରୋନ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁର ଆକ୍ରମଣ ରୋକିବାକୁ ପୁଲିସ ଓ ପ୍ରଶାସନ ତତ୍ପର ହେଉଥିବାବେଳେ ପୁଣି କଣ ପାଇଁ ଡ୍ରୋନ ଉଡ଼ାଗଲା ତାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ସୂଚନା ଅନୁସାରେ, ଡ୍ରୋନଟି ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଚୁଡ଼ାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପଟେ ଘୁରିବୁଲୁଥିଲା । ଭୋର ୪ଟା ସମୟରେ ଡ୍ରୋନ ଉଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦୋଳମଣ୍ଡପ ସାହିରୁ ପ୍ରଥମେ ଡ୍ରୋନଟି ଉଡ଼ିଆସି ମେଘନାଦ ପାଚେରୀ, ଚାରିପଟେ ବୁଲୁଥିଲା। ପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଏହି ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ମଝିରେ ମଝିରେ ଯଦି କୌଣସି ଦୁର୍ବୃତ୍ତ ଶ୍ରୀମନ୍ଦିର ସିକ୍ୟୁରିଟି ଉପରେ ଆକ୍ରମଣ କରିବାକୁ ବା ବ୍ୟାଘାତ କରିବାକୁ ଚେଷ୍ଟା କରିବେ, ତେବେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।