FeaturedLatestNewsPolitics

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ଗଣବିକ୍ଷୋଭ, ଗର୍ଜିଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି): ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ରାଜଧାନୀର ଲୋୟର ପିଏମଜିରେ ଗଣବିକ୍ଷୋଭ କରାଯାଇଛି। ଏହି ବିଶାଳ ଗଣବିକ୍ଷୋଭରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଭର୍ତ୍ସନା କରିଛନ୍ତି। ଲୋକଙ୍କ ସୁଖଦୁଃଖ ସହ ଏହି ସରକାରର ସମ୍ପର୍କ ଥିବା ଭଳି ଜଣାପଡୁନି। ଡାଲି ଚାଉଳଠାରୁ ଔଷଧ ସବୁ ଅତ୍ୟାବଶ୍ୟକ ପଦାର୍ଥର ଦର ବୃଦ୍ଧି ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ପ୍ରତିଦିନ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି, ଦରଦାମ ବୃଦ୍ଧି ଯୋଗୁ ମା’ମାନେ ରୋଷେଇ ଘରେ କାନ୍ଦୁଛନ୍ତି କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି ନବୀନ କହିଛନ୍ତି।

ନବୀନ କହିଛନ୍ତି ଯେ ଜୁନମାସରେ ବିଜେପି ସରକାର ଗଠନ ହେଲା। ସାତ ମାସ ହୋଇଗଲା କେବଳ ଲମ୍ବା ଲମ୍ବା ଭାଷଣ ଶୁଣିବାକୁ ମିଳୁଛି। କିନ୍ତୁ କାମ ଘର ଶୂନ, ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ କୌଣସି ପ୍ରତିକାର କରାଯାଉନି। ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି,କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣା ପଡ଼ୁନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ. ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି ମେଡିସିନ୍‌ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ। ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଇ ମା’ କାହାଣୀ କହି ସରକାର ଖୁସ। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇ ଗଲାଣି। ଅଦିନିଆ ବର୍ଷାରେ ଫସଲ ହାନ ପାଇଁ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ନଳିତା ବିଡା ପରି ଦରଦାମ ବଢୁଛି, ହେଲେ ରାଜ୍ୟର ବିଜେପି ସରକାର କିଛି କରୁନାହିଁ ବୋଲି ନବୀନ କହିଛନ୍ତି।

ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତା କୁ ଆସିଛି। ଡବଳ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଡ଼ବଲ ମାଡ଼ ଦେଉଛି। ଏପଟେ ଦରବୃଦ୍ଧି ମାଡ, ସେପଟେ GST ମାଡ଼। ସବୁ ଜିନିଷରେ GST, ଗରିବ ଲୋକ ବେଶୀ GST ଦେଉଛନ୍ତି। ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲଜ୍‌ କଲେ MM ସରକାର। ଯାହା ହେଲା ମହଙ୍ଗା ମାଡ ସରକାର ବୋଲି ନବୀନ କହିଛନ୍ତି ।