ଭାରତରେ ବ୍ୟାପିଲା ଚୀନ ଭାଇରସ୍ ଏଚଏମପିଭି, ଗୋଟିଏ ଦିନରେ ୩ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ (ସଂକେତ ଟିଭି): ସୋମବାର ଗୋଟିଏ ଦିନରେ ଭାରତରେ ଏହି ଏଚଏମପିଭି ଭାଇରସ୍ରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍) ରିପୋର୍ଟ ଅନୁସାରେ ବେଙ୍ଗାଲୁରୁରେ ୨ ଓ ଗୁଜରାଟରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁରେ ତିନି ମାସର ଝିଅ ଏବଂ ଆଠ ମାସର ପୁଅ ଏହି HMPV ଭାଇରସ୍ ସଂକ୍ରମଣର ଶିକାର ହୋଇଥିବା ବେଳେ ଗୁଜରାଟରେ ଦୁଇ ମାସର ଶିଶୁ ସଂକ୍ରମିତ ହୋଇଛି।
ବିଶ୍ୱକୁ ଥରାଇ ଦେଇଥିବା କୋଭିଡ -୧୯ ମହାମାରୀ ପରେ ଚାଇନାର ଆଉ ଏକ ଭାଇରସ୍ HMPV ଏବେ ଆତଙ୍କ ସୃଷ୍ଟି କରିଛି। ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍(ଏଚଏମପିଭି) ଚୀନ୍ରେ ଗମ୍ଭୀର ସ୍ଥିତି ସୃଷ୍ଟି କରିବା ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ହଂକଂ ଓ ଇଂଲଣ୍ଡ ପରେ ଭାରତରେ ପହଞ୍ଚି ଯାଇଛି ଏହି ଚାଇନା ଭାଇରସ୍। ଭାରତରେ ଏହି ଭାଇରସକୁ ନେଇ ଚିନ୍ତା ବଢିଯାଇଛି। କାରଣ ଗୋଟିଏ ଦିନରେ ୩ ସଂକ୍ରମିତ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ କଡ଼ା ନଜର ରଖିବା ସହ ରାଜ୍ୟ ମାନଙ୍କୁ ଆଲର୍ଟ ଜାରି କରିଛି। ପରିସ୍ଥିତି ଉପରେ ନଜର ରଖାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ICMR ବର୍ତ୍ତମାନ HMPV ପ୍ରାଦୁର୍ଭାବ ଧାରା ଉପରେ ନଜର ରଖିବା ଜାରି ରଖିବ। ତେବେ ଚାଇନାରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ପ୍ରଦାନ କରିସାରିଛି। ସମସ୍ତ ସ୍ୱାସ୍ଥ୍ୟ ୟୁନିଟ୍ ଏହି ବିଷୟରେ ସତର୍କ ଅଛନ୍ତି।
ଏହି ଭାଇରସକୁ ନେଇ ଚୀନ୍ରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ସାଧାରଣତଃ ଶୀତକାଳରେ ଏହି ଭୂତାଣୁ ଅଧିକ ସକ୍ରିୟ ହେବା ସହିତ ସଂକ୍ରମଣ ବଢାଇଥାଏ । ଏବେ ରୋଗୀଙ୍କ ପାଇଁ ହସ୍ପିଟାଲରେ ସ୍ଥାନ ମିଳୁ ନାହିଁ। ସ୍ଥିତି ମୁକାବିଲା ପାଇଁ ଚୀନ୍ ସରକାର ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିବା ସହିତ ମାସ୍କ ପରିଧାନକୁ ବାଧ୍ୟତାମୂକ କରିଛନ୍ତି।
HMPV ଜୀବାଣୁ କ’ଣ?
ଚାଇନାର ନୂତନ ଭାଇରସ୍ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍, ଯାହାକି HMPV ଭାବରେ ମଧ୍ୟ ଜଣାଶୁଣା। ଏକ ପ୍ରକାର ସାଧାରଣ ଶ୍ବାସକ୍ରିୟାକୁ ଆଟାକ କରୁଥିବା ଜୀବାଣୁ, ଯାହା ସବୁ ବୟସର ଲୋକଙ୍କ ମଧ୍ୟରେ ବ୍ୟାପିପାରେ। ଏହି ଜୀବାଣୁ ବୃଦ୍ଧ ଏବଂ ଛୋଟ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ଅଛି। ଯଦି ଆପଣ ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ଆପଣ ମଧ୍ୟ ଏହି ଜୀବାଣୁ ସଂକ୍ରମିତ ହୋଇପାରନ୍ତି। ଏହାର କେତେକ ସାଧାରଣ ଲକ୍ଷଣ ହେଉଛି- ନାକ ପ୍ରବାହିତ, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, କାଶ, ଜ୍ୱର କିମ୍ବା ଥଣ୍ଡା ଅନୁଭବ କରିବା।
ଏହାକୁ ପ୍ରଥମେ ୨୦୦୧ରେ ନେଦରଲ୍ୟାଣ୍ଡର ବୈଜ୍ଞାନିକମାନଙ୍କ ଦ୍ବାରା ଚିହ୍ନଟ ହୋଇଥିଲା। ଏହା ପାରାମିକ୍ସୋଭିରିଡା ପ୍ରଜାତିର ଏକ ଜୀବାଣୁ। ଏହି ଭାଇରସ୍ ଗତ ଦଶନ୍ଧି ଧରି ବିଶ୍ୱରେ ଉପସ୍ଥିତ ଅଛି। ବର୍ତ୍ତମାନ, ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ରୁ ରକ୍ଷା କରିବା ପାଇଁ କୌଣସି ଟିକା ଉପଲବ୍ଧ ନାହିଁ । ଏହା ବ୍ୟତୀତ ଆଣ୍ଟି-ଭାଇରାଲ୍ ମେଡିସିନ୍ର ବ୍ୟବହାର ଏହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏଭଳି ପରିସ୍ଥିତିରେ ଆଣ୍ଟି-ଭାଇରାଲ୍ ବ୍ୟବହାର ମଣିଷର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ” HMPV ଅନ୍ୟ ଶ୍ବାସକ୍ରିୟା ଜନିତ ସମସ୍ୟା ସହିତ ସମାନ, ଯାହା ଥଣ୍ଡା ଭଳି ଲକ୍ଷଣ ଦେଖାଯାଏ । ଏହା ଯୁବ ଏବଂ ବୃଦ୍ଧଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖା ଦେଇପାରେ । ଯଦି କାଶ କିମ୍ବା ଥଣ୍ଡା ଲକ୍ଷଣ ଅନୁଭବ କରିୁଛନ୍ତି, ତେବେ ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ । ଥଣ୍ଡା ଜ୍ବର ହେଲେ ମେଡିସିନ ମଧ୍ୟ ଖାଇ ପାରିବେ । ”