FeaturedLatestNews

ରାୟଗଡାଠାରେ ଏକ ନୂଆ ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟଗଡାଠାରେ ଏକ ନୂଆ ରେଳ ଡିଭିଜନପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜାମ୍ମୁ ରୁ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାମ୍ମୁ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ରାୟଗଡ଼ା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା।

ରାୟଗଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ପ୍ରଦୀପ ପାଣିଗ୍ରାହୀ ଓ ସପ୍ତଗିରି ଉଲ୍ଲାକାଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ସେପଟେ ବିଜେଡି ରାୟଗଡା ଠାରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠାକୁ ସ୍ୱାଗତ କରିଥିବା ବେଳେ ୱାଲଟିଅର ଡିଭିଜନକୁ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରୁ କାଢିନେବା ନିଷ୍ପତ୍ତିକୁ ବିଜୁ ଜନତା ଦଳ ବିରୋଧ କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବିଧାୟକ ରୁପେଶ ପାଣିଗ୍ରାହୀ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଓଡିଶାକୁ କ୍ଷତି ପହଞ୍ଚାଇବ ବୋଲି କହିବା ସହିତ ଓଡ଼ିଶାର ଡବଲ ଇଂଜିନ ସରକାର ଏହି ପ୍ରସଙ୍ଗରେ ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ।

ବକ୍ସିପାତ୍ର କହିଥିଲେ, ୱାଲଟିଅର ଡିଭିଜନ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରେ ପ୍ରମୁଖ ରାଜସ୍ୱ ପ୍ରଦାନ କରିଆସୁଥିବା ବେଳେ, କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାୟଗଡା ଠାରେ ଏକ ନୂତନ ରେଳ ଡିଭିଜନ ହେବାର ନିଷ୍ପତ୍ତିକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି, କିନ୍ତୁ ୱାଲଟିଅର ଡିଭିଜନକୁ ଭାଗ ଭାଗ କରି ସିଂହଭାଗ ରାଜସ୍ୱ ଯୋଗାଉଥିବା ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ ହାତରୁ କାଢିନେବା ଗ୍ରହଣୀୟ ନୁହେଁ। ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ ଦେଶର ଥିବା ସମସ୍ତ ରେଳ ଜୋନ ଗୁଡିକ ଭିତରୁ ସବୁଠାରୁ ଲାଭ ଉପାର୍ଜନକାରୀ ସଂସ୍ଥା। ୱାଲଟିଅର ଡିଭିଜନକୁ ଭାଙ୍ଗି ଦେଇ ଏହାର ସିଂହ ଭାଗ କାଢି ନେବା ପରେ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ ଆଉ ଏକ ଲାଭ ଉପାର୍ଜନକାରୀ ସଂସ୍ଥା ହୋଇ ରହିନପାରେ। ରେଳ ବିଭାଗର ବିଭିନ୍ନ ଜୋନ୍‌ ଗୁଡିକ ରାଜ୍ୟର ପରିସୀମାକୁ ନେଇ ଗଠିତ ହୋଇନଥାଏ, କିନ୍ତୁ କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି। ସେହି ନ୍ୟାୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ରାଉରକେଲା, ଝାରସୁଗୁଡା, ବେଲପାହାଡ, କେନ୍ଦୁଝର, ବଡବିଲ, ମୟୂରଭଞ୍ଜ ଓ ବାଲେଶ୍ୱର ଇତ୍ୟାଦି ସାଉଥ ଇଷ୍ଟର୍ଣ୍ଣ ରେଲ୍‌ୱେ ଜୋନ୍‌ରୁ କାଢି ନେଇ ଇଷ୍ଟକୋଷ୍ଟରେ ମିଶାଇବାକୁ ବିଜୁ ଜନତା ଦଳ ଦାବି କରୁଛି।