କମିବ ଶୀତ, ବଢିବ ଘନ କୁହୁଡି : ୯ ତାରିଖ ଯାଏଁ ୩ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର (ସଂକେତ୍ ଟିଭି): ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ତାପମାତ୍ରା କମ୍ ରହିଛି। ତେବେ ହାଲୁକା ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କ କଲବଲ କରିବ। ୯ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି ଅନୁଭୁତ ହେବ ।
ଏହାସହ ଆଜି ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ୯ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି ।
ସେପଟେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍ଆରସି ଚିଠି ଲେଖିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।