୫ଦିନ ଭିତରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ଟି ଜିଲାରେ ହୋଇଥିବା ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଅଦିନିଆ ବର୍ଷାକୁ ସରକାର ‘ପ୍ରାକୃତିକ ବିପର୍ଯ୍ୟୟ’ ଭାବେ ଗ୍ରହଣ କରିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍ଡ଼ିଆର୍ଏଫ୍)ରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ଆରମ୍ଭ କରାଯାଇଛି। ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଛି, ସେହି ଚାଷୀମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି। ଚାଷୀମାନଙ୍କୁ ଜଳସେଚିତ ଜମିର କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୧୫,୦୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୭,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଏସ୍ଡ଼ିଆର୍ଏଫ୍ ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍ପୁଟ ସବ୍ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି। ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି। ଏହି ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ଯ ଆରମ୍ଭ ହୋଇଛି।
ଗତ ୨୦ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଅଦିନିଆ ବର୍ଷା ହୋଇଥିଲା। ୩୦ ଓ ୩୧ ତାରିଖରେ ସର୍ଭେ ପରେ ସରକାର ୧ ତାରିଖରେ ରିପୋର୍ଟ ପାଇଥିଲେ। ସରକାର ସବୁବେଳେ ଚାଷୀମାନଙ୍କ ସହ ରହି ଆସିଛନ୍ତି ଓ କୃଷକଙ୍କ ମଙ୍ଗଳ ପାଇଁ ସବୁପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟିତ ଅଛନ୍ତି।