ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ (ସଂକେତ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହି ନିର୍ବାଚନ ପାଇଁ ଫେବୃୟାରୀ ୫ରେ ମତଦାନ କରାଯିବ ଓ ୮ ଫେବୃଆରୀରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମୋଟ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ଷ
ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଏଥର ଦିଲ୍ଲୀ ନିର୍ବାଚନରେ ମୋଟ ୧.୫୫ କୋଟିରୁ ଅଧିକ ଭୋଟର ଭୋଟ ଦେବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। ସେହିପରି ଯୁବ ଭୋଟରଙ୍କ ସଂଖ୍ଯା ୨୫ ଲକ୍ଷ ୮୯ ହଜାର । ୨ ଲକ୍ଷ ୮ ହଜାର ଭୋଟର ପ୍ରଥମ ଥର ଭୋଟ ଦେବେ ।
ଏଥର ମଧ୍ୟ ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦିଲ୍ଲୀରେ ଏକ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ। ସମସ୍ତ ୭୦ଟି ଯାକ ଆସନ ପାଇଁ ଆପ୍ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ କିଛି କିଛି ଆସନ ପାଇଁ ପ୍ରାର୍ଥ ଘୋଷଣା କରିସାରିଛନ୍ତି। ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଫେବ୍ରୁଆରୀ ୨୩ରେ ସରୁଛି ।
ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ ଇଭିଏମରେ ବେଆଇନ ଭୋଟ ଦେବାର କୌଣସି ସମ୍ଭାବନା ନାହିଁ। ଇଭିଏମ ହେଉଛି ଏକ ଫୁଲପ୍ରୁଫ ଉପକରଣ । ଭୋଟ ଦେବା ପରେ ଏହାକୁ ସିଲ କରାଯାଇଥାଏ ଏବଂ ଭାଇରସ ବି ଏଥିରେ ପ୍ରବେଶ କରିପାରେ ନାହିଁ ।