ନବମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡରେ ଜଣେ ଛାତ୍ର ଗୁରୁତର
ଭୋଗରାଇ (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ଦହପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିଲା। ନବମ ଶ୍ରେଣୀର ଛାତ୍ରଙ୍କ ଖେଳ ସରିବା ପରେ ପୂର୍ବ ଝଗଡ଼ାକୁ ନେଇ ୨ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମଧ୍ଯରେ ବଚସା ହୋଇଥିଲା। ପରେ ନବମ ଶ୍ରେଣୀର ଛାତ୍ର ବିନୟ ଚନ୍ଦ – ଅନ୍ତିଆ ଚନ୍ଦକୁ ପେଟରେ ଛୁରାମାଡ କରିଥିଲେ। ଉଭୟଙ୍କ ମଧ୍ୟରେ ଗତକାଲି ନାଚିନ୍ଦା ମେଳା ବୁଲିବା ସମୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଆଜି ସେହି ଗଣ୍ଡଗୋଳକୁ ନେଇ ବିନୟ ଛୁରାମାଡ କରିଥିବା ଅନ୍ତିଆ ଚନ୍ଦ କହିଛନ୍ତି। ଗୁରୁତର ଅବସ୍ଥାରେ ଅନ୍ତିଆ ଚନ୍ଦଙ୍କୁ ଉଦ୍ଧାର କରାଯାଇ ଦହପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ୍ ପହଞ୍ଚି ଛୁରାମାଡ କରିଥିବା ବିନୟ ଚନ୍ଦକୁ ଅଟକ ରଖି ଅଧିକ ତଦନ୍ତ କରୁଛି।