FeaturedLatestNews

ଆରମ୍ଭ ହେଲା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର (ସଂକେତ ଟିଭି): ୧୮ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହୋଇଛି । ତିନିଦିନିଆ ସମ୍ମିଳନୀର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ ଓ୍ୱିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଦେବ ପ୍ରଗଡ ଯୋଗ ଦେଇଛନ୍ତି ।

ଏହି ଅବସରରେ ଯୋଗ ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ.ଜୟଶଙ୍କର କହିଛନ୍ତି,”ପ୍ରବାସୀ ଭାରତୀୟମାନେ ସେମାନଙ୍କର ଜନ୍ମମାଟି ଭାରତ ସହିତ ସବୁବେଳେ ଆତ୍ମୀୟତା ରଖି ଆସିଛନ୍ତି । ବିଶ୍ୱର ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତର ବିକାଶ ପାଇଁ ସେମାନେ ସର୍ବଦା ଇଚ୍ଛୁକ ରହିଥାନ୍ତି । ପ୍ରବାସୀ ଭାରତୀୟମାନେ କୃତ୍ରିମ ବୁଦ୍ଧିମତା, ଇଲେକ୍ଟ୍ରୋନିକ ଯାନ, ଡ୍ରୋନ, ବୈକ୍ଷୟିକ ଜ୍ଞାନ କୈଶଳ, କାରିଗରୀ, ମହାକାଶ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି । ଭାରତ ସହ ସେମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,” ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇରହିବ । ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ । ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ । ପ୍ରବାସୀ ଭାରତୀୟ ଆମର ସାଂସ୍କୃତିକ ରାଜଦୂତ ଓ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି । ଦେଶ ବହାରେ ସେମାନଙ୍କ ଉତ୍କର୍ଷରେ ଆମେ ଗର୍ବିତ ।

ଆସନ୍ତାକାଲି ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏହା ପରେ ଉଦଯାପନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଏହି ସମ୍ମିଳନୀରେ ତିନି ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ସାମିଲ ହୋଇଛନ୍ତି ।