ଭୁବନେଶ୍ୱରରେ ବିଚ୍ ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ
ଭୁବନେଶ୍ବର (ସଂକେତ ଟିଭି): ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ବର ଉତ୍ସବମୁଖର ଥିବାବେଳେ ବୁଧବାର ସକାଳୁ ସକାଳୁ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇଦେଇଛି। ମଞ୍ଚେଶ୍ବର ଥାନା ରସୁଲଗଡ ଛକରେ ହତ୍ୟାକାଣ୍ଡ ଘଟିଛି । ତାହା ପୁଣି ଜଣେ ପୋଲିସ ମିତ୍ରଙ୍କୁ। ନିଜ ବାଇକରେ ଯାଉଥିବା ଜଣେ ପୋଲିସ ଇନଫର୍ମରକୁ ଦୁର୍ବୃତ୍ତ ବିଭତ୍ସ ହତ୍ୟା କରିଛନ୍ତି। ଦୁର୍ବୁତ୍ତମାନେ ରାସ୍ତା ଉପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିବାବେଳେ ପୋଲିସ ଏନ୍ଏଚ ଉପରୁ ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରିଛି। ଏହି ଘଟଣାରେ କମିସନରେଟ୍ ପୋଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗିରଫ କରିଛି।
ମୃତକ ଜଣଙ୍କ ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାପଡିଛି। ସେ ସଫେଇ ସଂଘର ସଭାପତି ଥିଲେ । ସହଦେବ ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ୍ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି। ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଛି। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ପୋଲିସ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ। ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ। ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି। ବ୍ରାଉନ୍ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସହଦେବ ନାୟକ ହତ୍ୟା ଘଟଣାରେ ସଂପୃକ୍ତ ଲିପିକା ବ୍ରାଉନସୁଗାର କାରବାର ମାମଲାରେ ଜେଲ୍ ଯାଇଥିଲେ। ସେ ଗତ ୫ ତାରିଖରେ ଜେଲରୁ ମୁକୁଳିଥିଲେ। ନୂଆବର୍ଷରେ ଜେଲ୍ର ଚାରିକାନ୍ଥ ଭିତରେ ଥିବାରୁ ସେ ରକ୍ତ ଚାଉଳ ଚୋବାଉ ଥିଲେ। ପ୍ରତିଶୋଧ ନେବା ପାଇଁ ଶୋଇପାରୁ ନଥିଲେ। ତେଣୁ ରାସ୍ତାରୁ ହଟାଇବାକୁ ସ୍ୱାମୀଙ୍କ ସହିତ ମିଶି ବଡ଼ ଷଡ଼ଯନ୍ତ୍ର ବି କରିଥିଲେ।ହତ୍ୟାକାଣ୍ଡ ପରେ କ୍ରାଇମସିନରୁ ଖଣ୍ଡା ଗୋଟାଉ ଥିବା ବେଳେ ଭିଡ଼ିଓ ଭାଇରଲ ହେଇଥିଲାI ହତ୍ୟା ପରେ ସ୍ୱାମୀ ସହ ଫେରାର ହେଲା ବେଳର ଭିଡ଼ିଓ ସାମ୍ନାକୁ ଆସିଥିଲାI