ଇସ୍ରୋର ଅଧ୍ୟକ୍ଷ ଓ ମହାକାଶ ବିଭାଗର ସଚିବ ହେବେ ଭି ନାରାୟଣନ
ନୂଆଦିଲ୍ଲୀ (ସଂକେତ ଟିଭି): ବୈଜ୍ଞାନିକ ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ନୂଆ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ନିଯୁକ୍ତ କରାଯାଇଛି । ଆସନ୍ତା ୧୪ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ଇସ୍ରୋର ବର୍ତ୍ତମାନର ଅଧ୍ୟକ୍ଷ ଏସ୍ ସୋମନାଥଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ବରେ ରହିବେ ନାରାୟଣନ । କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଏହାକୁ ଅନୁମୋଦନ କରିଛି। ଏନେଇ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ବୈଜ୍ଞାନିକ ଭି ନାରାୟଣନଙ୍କ ଇସ୍ରୋରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଅନେକ ପଦବୀରେ ରହି କାମ କରିଛନ୍ତି ଭି. ନାରାୟଣନ। ତାମିଲ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ନାରାୟଣନ ଖଡ଼ଗପୁରର ଆଇଆଇଟିରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମ୍ଟେକ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚ୍ଡି କରିଛନ୍ତି । ସେ ଏମ୍ଟେକ୍ ପ୍ରୋଗ୍ରାମରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଯେଉଁଥିପାଇଁ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଭି. ନାରାୟଣନ ବର୍ତ୍ତମାନ ବାଲିୟାମାଲାସ୍ଥିତ ଲିକ୍ୱିଡ୍ ପ୍ରୋପଲସନ୍ ସିଷ୍ଟମ୍ ସେଣ୍ଟର (ଏଲପିଏସସି)ର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ପ୍ରାୟ ଚାରି ଦଶନ୍ଧିର ଅଭିଜ୍ଞତା ସହିତ ନାରାୟଣନ ଇସ୍ରୋରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ବରିଷ୍ଠ ମହାକାଶ ବିଜ୍ଞାନୀ ଏସ.ସୋମନାଥ ୨୦୨୨ ଜାନୁଆରୀ ୧୪ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ISRO)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ । ସେ ଇସ୍ରୋ ମୁଖ୍ୟ ଓ କେନ୍ଦ୍ର ସରକାରଙ୍କର ବିଜ୍ଞାନ ବିଭାଗର ସଚିବ ଭାବେ ବହୁ ଗୁରୁ ଦାୟିତ୍ବ ତୁଲାଇଛନ୍ତି ।