ପ୍ରବାସୀ ଭାରତୀୟ ଦିବସ ଉଦଯାପିତ, ୨୭ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ଭୁବନେଶ୍ବର (ସଂକେତ ଟିଭି): ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୪ଟି ଦେଶର ୨୭ ପ୍ରବାସୀ ଭାରତୀୟଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ର ପୁରସ୍କାରରେ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ” ସମସ୍ତଙ୍କୁ ନମସ୍କାର, ଜୁହାର, ଜୟ ଜଗନ୍ନାଥ.. ଆପଣଙ୍କ ନିଜ ମାଟି, ଜନ୍ମଭୂମିକୁ ସ୍ୱାଗତ । ଆପଣମାନଙ୍କ ବୈଶ୍ୱିକ ଉପସ୍ଥିତି ଅନନ୍ୟ ସମ୍ଭାବନା ପ୍ରଦାନ କରିଥାଏ । ଆପଣମାନଙ୍କ ସଫଳତା ଭାରତର ସଫଳତା । ପ୍ରବାସୀ ଭାରତୀୟମାନଙ୍କର ଉଲ୍ଲେଖନୀୟ ଅବଦାନ ଭାରତକୁ ବିକାଶ ଦିଗରେ ପହଞ୍ଚାଇ ପାରିଛି । ରାଷ୍ଟ୍ର ଗଠନରେ ପ୍ରବାସୀ ଭାରତୀୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନଜରରେ ରଖି ପ୍ରବାସୀ ଭାରତୀୟମାନଙ୍କ ପାଇଁ ଭାରତ ସରକାର ଏକାଧିକ ଯୋଜନା କରିଛନ୍ତି । ବିଦେଶରେ ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଗତ କିଛି ବର୍ଷ ମଧ୍ୟରେ ‘ଅପରେସନ କାବେରି’, ‘ଅପରେସନ ଗଙ୍ଗା’, ‘ଅପରେସନ ବନ୍ଦେ ଭାରତ’ ଭଳି ଅନେକ ମିଶନ ଲଞ୍ଚ କରିଛି ଭାରତ । ମହିଳା, ଯୁବକ ତଥା ଛାତ୍ର ପ୍ରବାସୀ ଭାରତୀୟମାନଙ୍କର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ।” ଆଉମଧ୍ୟ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ।
ଏହି ସମାରୋହରେ ସମ୍ମାନୀୟ ଅତିଥିଭାବେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପରିବେଶ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ପ୍ରମୁଖ ଯୋଗ ଦେଇଥିଲେ ।