FeaturedHealthLatestNews

ଆୟୁଷ୍ମାନ ଭାରତ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ

ଭୁବନେଶ୍ବର (ସଂକେତ ଟିଭି): ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଓଡିଶା ସରକାର ସହିତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏଥିରେ ରାଜ୍ୟର ୧.୩ କୋଟି ପରିବାରଙ୍କୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ । ଆଗାମୀ ଦିନରେ ଓଡିଶାରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି । ଆଗାମୀ ଦିନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଯୋଗ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯିବ। ସେମାନେ ଲୋକଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବେ।

ଏହି ବୈପ୍ଳବିକ ପରିବର୍ତ୍ତନ ପାଇଁ ବହୁ ଦିନ ଧରି ଅପେକ୍ଷା ରହିଥିଲା । ଆଉ ସମୟ ସହିତ ଏହି ପରିବର୍ତ୍ତନ ଆଣିଦେଇଛି । ବିଳମ୍ୱ ହୋଇଛି ସତ, ହେଲେ କାର୍ଯ୍ୟ ସିଦ୍ଧି ହୋଇଛି । ଆମେ ନିଜର ଲକ୍ଷ୍ୟ ହାସଲ କରିଛୁ।

କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା । ‘ଆୟୁଷ୍ମାନ ଭାରତ’ର ମୁଖ୍ୟ ଲକ୍ଷ୍ୟ ହେଉଛି ଆର୍ଥିକ ସମସ୍ୟା କାରଣରୁ ଦେଶର କୌଣସି ବ୍ୟକ୍ତି ଯେପରି ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ନହୁଅନ୍ତି । ଏହି ଯୋଜନାରେ ମେଡିକାଲ କଲେଜରେ ଚିକିତ୍ସା ପାଇଁ ପ୍ରତି ପରିବାକୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି ।