FeaturedLatestNews

ବୈତରଣୀରେ ମକର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପରମେଶ୍ବର ମହାଦେବ ମନ୍ଦିର ସଂଲଗ୍ନ ଅନୁସୟା ଘାଟରେ ମଙ୍ଗଳବାର ମକର ବୁଡ଼ ପକାଇଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୭ ଥର ମକରବୁଡ ପକାଇ ଥିଲେ। ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ନିକଟରେ ଥିବା ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣଙ୍କ ଦ୍ଵାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି ।

କେନ୍ଦୁଝରରୁ ମଇଦାନ କେଲ ରାସ୍ତାରେ ସେ କଡା ସୁରକ୍ଷା ବ୍ୟବସ୍ଥାରେ ଆସି ପ୍ରଥମେ ଘାଟରେ ପହଞ୍ଚିଥିଲେ। ପରେ ବୈତରଣୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟପ୍ରଦାନ କରିଥିଲେ। ତାଙ୍କ ସହ ପାଟଣା ବିଧାୟକ ଅଖିଳ ଚନ୍ଦ୍ରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ବିଜେପି ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ।

ଦିଲ୍ଲୀରୁ ଗତକାଲି(ସୋମବାର) ଭୁବନେଶ୍ୱର ଫେରିବା ପରେ ଆଜିଠୁ ତିନିଦିନିଆ କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈତରଣୀରେ ମକର ସ୍ନାନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ୟାମ ସୁନ୍ଦରପୁର ଗ୍ରାମରେ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେ ମକର ପିଠା ଖାଇଥିଲେ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ସଂସ୍କୃତିକୁ ମନେପକାଇ ବୈତରଣୀରେ ବୁଡ ପକାଇଛନ୍ତି ।